Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହୋର୍ଡିଂ ହଟାଇବାକୁ ପ୍ରଶାସନ ଦେଲା ଡେଡଲାଇନ୍, ନ କାଢ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Odisha

Zero Flex City / ହୋର୍ଡିଂ ହଟାଇବାକୁ ପ୍ରଶାସନ ଦେଲା ଡେଡଲାଇନ୍, ନ କାଢ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ହୋର୍ଡିଂ ହଟାଇବାକୁ ପ୍ରଶାସନ ଦେଲା ଡେଡଲାଇନ୍, ନ କାଢ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ
CMC Orders Removal of Hoardings

Key Points

ଝଡ଼-ତୋଫାନରେ ଆଉ ବିପଦ ସାଜିବନି ଫ୍ଲେକ୍ସ
"ଜିରୋ ଫ୍ଲେକ୍ସ" ସିଟି ହେବ କଟକ
ହୋର୍ଡିଂ ହଟାଇବାକୁ CMCର ଡେଡଲାଇନ୍ !
୫୯ଟି ୱାର୍ଡ ପାଇଁ କଡ଼ା ନିୟମ
ନିଜ ଆଡ଼ୁ ଫ୍ଲେକ୍ସ ନ କାଢ଼ିଲେ ଆକ୍ସନ ନେବ ମହାନଗର ନିଗମ
କଟକ: କାଳ ବୈଶାଖୀ ସମୟରେ ସହର ହେବ "ଜିରୋ ଫ୍ଲେକ୍ସ" ସିଟି । ସହରକୁ ସୁରକ୍ଷିତ ଓ ସୁନ୍ଦର ରଖିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। ସିଏମସି କମିଶନର କିରନଦୀପ କୌରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଜରୁରୀକାଳୀନ ବୈଠକରେ ବିଭିନ୍ନ ହୋର୍ଡିଂ ଏଜେନ୍ସିଗୁଡିକୁ ଆସନ୍ତା ୧୫ ସୁଦ୍ଧା ସମସ୍ତ ଫ୍ଲେକ୍ସ ଓ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁର୍ଘଟଣା ଏଡ଼ାଇବାକୁ ମଇଦାନକୁ ଓହ୍ଲାଇଲେ ସିଏମସି କମିଶନର । ଏବେ ସିଲଭର ସିଟି କଟକ ହେବ "ଜିରୋ ଫ୍ଲେକ୍ସ" ସିଟି । କାଳ ବୈଶାଖୀ ପ୍ରଭାବକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ନିଆଯାଇଛି ଏହି ବଡ଼ ପଦକ୍ଷେପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ପାଇଁ ସହରରେ କାଳ ବୈଶାଖୀର ପ୍ରଭାବ ଜାରି ରହିବ ।

ଏଥିସହ ପଢ଼ନ୍ତୁ: ବରମୁଣ୍ଡାରେ ଭୟରେ ଦୌଡ଼ି ଗଳିରେ ଲୁଚିଲେ ଯୁବତୀ, ଅପହରଣ ପାଇଁ ପିଛା କରୁଥିଲେ ଦୁର୍ବୃତ୍ତ 

ପୂର୍ବରୁ ଝଡ଼ ତୋଫାନ ସମୟରେ ବଡ଼ ବଡ଼ ହୋର୍ଡିଂ ଓ ଫ୍ଲେକ୍ସ ଭାଙ୍ଗି ରାସ୍ତା ଉପରେ ପଡ଼ିବା ଯୋଗୁଁ ଅନେକ ଦୁର୍ଘଟଣା ଘଟିଛି । ଏହାକୁ ରୋକିବା ପାଇଁ ସିଏମସି ଅନୁବନ୍ଧିତ ହୋର୍ଡିଂ ଏଜେନ୍ସିମାନଙ୍କୁ ଜୁନ୍ ୧୫ ପର୍ଯ୍ୟନ୍ତ ଡେଡଲାଇନ ଦିଆଯାଇଛି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଫ୍ଲେକ୍ସ ନକଢ଼ାଯାଏ, ତେବେ ସିଏମସି ନିଜେ ତାହାକୁ ହଟାଇବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି ।

କଟକ ମହାନଗର ନିଗମର ମୋଟ ୫୯ଟି ୱାର୍ଡ ପାଇଁ ଏହି କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ପ୍ରବଳ ଗରମ ଓ ଗୁଳୁଗୁଳି ପରେ ଅପରାହ୍ଣ ହେବା ମାତ୍ରେ ଆକାଶରେ କଳାହାଣ୍ଡିଆ ମେଘ ମାଡ଼ି ଆସୁଛି ଏବଂ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେଉଛି ।

ଏଥିସହ ପଢ଼ନ୍ତୁ: ରଥଯାତ୍ରା ପାଇଁ ସରକାରଙ୍କ 'ଡୁଆଲ୍ ମ୍ୟାନେଜମେଣ୍ଟ ପ୍ଲାନ୍' 

ଜନସାଧାରଣଙ୍କ ସୁରକ୍ଷାକୁ ଆଖିରେ ରଖି ସିଏମସି ଏହି ନିଷ୍ପତ୍ତି ନେଇଛି । ଏଣିକି ମେଡିକାଲ ଏବଂ ଶିକ୍ଷାନୁଷ୍ଠାନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ହୋର୍ଡିଂ ଲଗାଇବା ପାଇଁ ଆରଏଣ୍ଡବି ବିଭାଗର ଅନୁମତି ପରେ କେବଳ ସୀମିତ ସଂଖ୍ୟକ ଫ୍ଲେକ୍ସ ପାଇଁ ଅନୁମତି ଦିଆଯିବ । ସିଏମସିର ଏହି ଜନହିତକର ନିଷ୍ପତ୍ତିକୁ ସହରବାସୀ ଏବଂ ସ୍ଥାନୀୟ ପ୍ରତିନିଧିମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

ତେବେ କାଳ ବୈଶାଖୀ ସମୟରେ ସହରକୁ ସୁରକ୍ଷିତ ରଖିବା ପାଇଁ ସିଏମସିର ଏହି "ଜିରୋ ଫ୍ଲେକ୍ସ" ଅଭିଯାନ ଆଗାମୀ ଦିନରେ କେତେ ଫଳପ୍ରଦ ହେଉଛି, ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored