Videos
|
Odisha

ଫୁଲୁରି ତେଲ ମାଲିସ୍ ପରେ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥାନ୍ତି ମହାପ୍ରଭୁ

Smruti Parija
Browse all articles by Smruti Parija
·2 years ago·2 min read
ଫୁଲୁରି ତେଲ ମାଲିସ୍ ପରେ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥାନ୍ତି ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହଙ୍କ ଗୁପ୍ତ ଚିକିତ୍ସା ବା ଗୁପ୍ତ ସେବା  ଜାରି ରହିଛି । ଗତକାଲି ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପାଦିତ କରିଛନ୍ତି। ଆସନ୍ତାକାଲି ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିଵେ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। 

ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପ୍ରତିବର୍ଷ ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଥାଏ । ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗା ଯାଇଥାଏ। ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। 

ପଞ୍ଚମୀ ଦିନ ଅର୍ଥାତ ଆଜି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ଆସନ୍ତାକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ନୀତି ଆରମ୍ଭ ହେବ । ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍  କରିବେ । ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ୍ କରାଯିବା ପରେ ମହାପ୍ରଭୁ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥାନ୍ତି । ଅନ୍ୟପଟେ ଆସନ୍ତାକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Bada Odia Matha provides Phuluri Tela (herbal oil) for Seva of Mahaprabhu | Argus News