Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ହେଉଛି ପବିତ୍ର ବଡ଼ଓଷା, ଚଳଚଞ୍ଚଳ ଧବଳେଶ୍ୱର ପୀଠ

Odisha

ଆଜି ହେଉଛି ପବିତ୍ର ବଡ଼ଓଷା, ଚଳଚଞ୍ଚଳ ଧବଳେଶ୍ୱର ପୀଠ

Banajyotshna Ray
Browse all articles by Banajyotshna Ray
·2 years ago·3 min read
ଆଜି ହେଉଛି ପବିତ୍ର ବଡ଼ଓଷା, ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ବଡ଼ଓଷା । ବଡଓଷା ପାଇଁ ଚଳଚଞ୍ଚଳ କଟକ ନିକଟସ୍ଥ ଧବଳେଶ୍ୱର ପୀଠ। ଦୂରଦୂରାନ୍ତରରୁ ଧାଇଁ ଆସିଛନ୍ତି ଭକ୍ତଗଣ ବାବାଙ୍କ ଦର୍ଶନ ପାଇଁ। କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଏଥିପାଇଁ ବିଭିନ୍ନ ପ୍ରକାର ଫୁଲରେ ସୁସଜିତ ହୋଇଛି ଧବଳେଶ୍ୱର ପୀଠ । ମଧ୍ୟରାତ୍ରୀରେ ତ୍ରୟୋଦଶୀ ଓ ଚର୍ତୁଃଦଶୀ ଶନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବାର ନୀତି ରହିଛି।ଏହି ଭୋଗର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି। ଠାକୁର କଳା ବଳଦକୁ ଧଳା କରିଥିବାରୁ ଗଜ ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ। ଏହି ସ୍ଥାନ ରାଜ୍ୟର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ। କଟକ ସହରର ବିଡାନାସୀର ଅପର ପାର୍ଶ୍ୱରେ ଏହାର ଅବସ୍ଥିତି। ନଦୀ ମଝିରେ ଥିବା ଏହି ସ୍ଥାନକୁ ଏକ ଝୁଲା ପୋଲ ସଂଯୋଗ କରୁଛି।

ମହାନଦୀ ଭିତରେ ଥିବା ଏହି ଦ୍ୱୀପଟିର ମହିମା କାହିଁ କେତେ କାଳରୁ ରହିଆସିଛି। ହେଲେ ଆପଣ ଜାଣିଛନ୍ତି କି ପ୍ରଭୁ ଧବଳେଶ୍ୱରଙ୍କର ମହିମା ବିଷୟରେ। କାହିଁକି ବାବାଙ୍କ ନାଁ ହେଲା ଧବଳେଶ୍ୱର। ଏହା ପଛରେ ଥିଲା କେଉଁ କାରଣ ?‘ଧବଳେଶ୍ୱର’ ଶବ୍ଦର ଅର୍ଥ ହେଉଛି ଧବଳ ଈଶ୍ୱର। ଅର୍ଥାତ ଧଳା ରଙ୍ଗର ଭଗବାନ। ବାବା ଧବଳେଶ୍ୱରଙ୍କୁ ନେଇ ରହିଛି ଏକ ରୋଚକ ଲୋକକଥା। ବିଶ୍ୱାସ କରାଯାଏ, ବାବା ଧବଳେଶ୍ୱର କାଳେ ଏକ କଳା ବଳଦକୁ ଧଳା କରି ଦେଇଥିଲେ। ଏହି କିମ୍ବଦନ୍ତୀ ଅନୁସାରେ, ଏହି ଘଟଣା ପରେ ସେ ଧବଳେଶ୍ୱର ନାମରେ ଖ୍ୟାତ ହେବାରେ ଲାଗିଥିଲେ। ଆସନ୍ତୁ ଜାଣିବା ଏହି ପୂରା କାହାଣୀ।

ଲୋକକଥା ଅନୁଯାୟୀ, ଥରେ ଜଣେ ଚୋର ଗୋଟିଏ କଳା ବଳଦ ଚୋରି କରି ଆଣିଥିଲା। ଏ କଥା ଜାଣି ପାରିଲେ ଲୋକମାନେ। ତା ପରେ ଚୋରଟିକୁ ଲୋକେ ଗୋଡେଇବା ଆରମ୍ଭ କରିଦେଇଥିଲେ। ଚୋରଟି ମାଡ଼ ଖାଇବା ଭୟରେ ଲୁଚି ଯାଇଥିଲା ମହାନଦୀର ପାଣି ଘେରି ରହିଥିବା ଏହି ଦ୍ୱୀପ ସଦୃଶ ସ୍ଥାନରେ।ଏହି ସ୍ଥାନଟି ସେତେବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଲୋକମାନେ ଚୋରକୁ ଜଗି ରହିଥିଲେ। ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା। ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଚୋର ତା’ର ଜୀବନ ବଞ୍ଚାଇ ଦେବାକୁ ଭଗବାନଙ୍କୁ ଡାକୁଥାଏ।

ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ବେଶରେ ଲୋକଙ୍କ ଆଗରେ ଉଭା ହେଲେ। ଲୋକମାନଙ୍କୁ ସେ ସେମାନଙ୍କର ରାଗିବାର କାରଣ ପଚାରିଲେ। ଲୋକମାନେ କହିଲେ, ଆମର ଗୋଟିଏ କଳା ବଳଦ ଚୋରି ହୋଇଯାଇଛି। ଚୋର ଏଇଠି କୋଉଠି ଲୁଚିଛି, ଆମେ ତାକୁ ଜଗି ରହିଛୁ। ଆଜି ଆମେ ଚୋରକୁ ଛାଡିବୁ ନାହିଁ।ଏ କଥା ଶୁଣି ସନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ। ଦୂରରେ ଚରୁଥିବା ବଳଦ ତ ଧଳା। ଲୋକମାନେ ମଧ୍ୟ ଦେଖିଲେ, ସତରେ କିଛି ଦୂରରେ ଗୋଟିଏ ଧଳା ବଳଦ ଚରୁଥିଲା। ଏହାପରେ ଲୋକମାନେ ବୁଝିଗଲେ। ଚୋରି ହୋଇଥିବା ବଳଦ ଏହା ନୁହେଁ। ଚୋର ବି ବାହାରି ଆସିଲା। ସେଠାରୁ ସନ୍ୟାସୀ ଜଣକ କେଉଁଆଡେ ଅନ୍ତଃର୍ଦ୍ଧାନ ହୋଇଗଲେ। ଚୋର ଭୟରେ କିନ୍ତୁ ଥରୁଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାହସ ଜୁଟାଇ ଚୋର ଲୋକଙ୍କୁ ସବୁ କଥା କହିଲା। ଚୋର କହିଲା ଯେ, ସେ କଳା ବଳଦ ଚୋରି କରି ଆଣିଥିଲା। କିନ୍ତୁ ଭଗବାନ ଶିବ ତା’ର ଆକୁଳ ନିବେଦନ ଶୁଣି କଳା ବଳଦକୁ ଧଳା କରିଦେଇଛନ୍ତି।ମନ୍ଦିରର ଜଣେ ପୂଜକଙ୍କ କହିବା ଅନୁଯାୟୀ, ସେହିଦିନଠାରୁ ଲୋକମାନେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କଲେ। ଆଉ ପୀଠଟି ଧବଳେଶ୍ୱର ପୀଠ ନାମରେ ଖ୍ୟାତ ହେଲା। ସବୁଆଡ଼େ ପ୍ରଚାରିତ ହେବାକୁ ଲାଗିଲା ବାବା ଧବଳେଶ୍ୱରଙ୍କ ମହିମା। ପ୍ରତିବର୍ଷ କାର୍ତ୍ତିକ ମାସ ପଞ୍ଚୁକରେ ଏହି ପୀଠକୁ ଲୋକଙ୍କର ସୁଅ ଛୁଟିଲା। ପଞ୍ଚୁକ ତ୍ରୟୋଦଶୀ ତିଥିରେ ବଡ଼ ଧୁମଧାମରେ ଏଠି ପାଳିତ ହୁଏ ବଡଓଷା। ସବୁ ଓଷା ଭିତରେ ଏହା ବଡ ବୋଲି କୁହାଯାଏ। ଏହି ଓଷାରେ ଗଜଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ।

 

ଅଧିକ ପଢ଼ନ୍ତୁ ଓଡିଶା ଖବର: 


 

Argus Whatsapp Channel Mobile Top
Sponsored
bada osha celebration held at dhabaleswar temple | Argus News