କାଳ ରାତିକୁ ପୂରିଲା ବର୍ଷେ

ଅର୍ଗସ ବ୍ୟୁରୋ: ଚାହୁଚାଁହୁ ବର୍ଷେ ବିତିଗଲା । ଭାରତୀୟ ରେଳ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା ଏକ କଳା ରାତି । ଆଜିବି ସେ କାଳ ରାତି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ବାହାନଗା ଦୁର୍ଘଟଣାର ସେ କଳା ରାତିକୁ ଆଜି ବର୍ଷେ ପୂରିଗଲା। ଏହି ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ।
ସୁଚନା ଅନୁଯାୟୀ ହାୱଡାରୁ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ, ଅନ୍ୟପଟୁ ବେଙ୍ଗାଲୁରୁରୁ ହାୱଡା ଯାଉଥିଲା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ | ବାହାନଗା ଠାରେ ଆଗରୁ ଠିଆ ହୋଇଥାଏ ଲୁହା ବୋଝେଇ ମାଲବାହୀ ଟ୍ରେନ | ଘଣ୍ଟାକୁ ୧୨୮ କିଲୋମିଟର ପ୍ରତି ବେଗରେ ଆସୁଥିବା କରମଣ୍ଡଳ ଟ୍ରେନକୁ ବାଲେଶ୍ଵର ପରେ ଲୁପ ଲାଇନରେ ଯିବାକୁ ସିଗ୍ନାଲକୁ ମିଳିଥିଲା | କିନ୍ତୁ ସେହି ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନଟି ଥିଲା | ଆଉ ଠିକ ବାହାନାଗରେ ଉଭୟ ଟ୍ରେନ ମଧ୍ୟରେ ହେଲା ଭୟଙ୍କର ଦୁର୍ଘଟଣା | ଏହି ଦୁର୍ଘଟଣାରେ କରମଣ୍ଡଳର ୨୧ ଟି ବଗି ଓଲଟି ପଡିଥିଲା ଆଉ ସେଥିରୁ ୩ଟି ରେଲୱେ ଟ୍ରାକରେ ପଡିଥିଲା ଆଉ ତା ସହ ଅନ୍ୟ ପଟରୁ ଆସୁଥିବା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କା ହୋଇଥିଲା | ଏହି ଧକ୍କା ଫଳରେ ଯଶୋବନ୍ତପୁର ଏକ୍ସପ୍ରେସର ମଧ୍ୟ କିଛି ବଗି ଲାଇନଚ୍ୟୁତ ହୋଇଯାଇଥିଲା ।
ଶୁଭିଲା ଭୟଙ୍କର ଶବ୍ଦ ଚିତ୍କାର। ବାହାନଗା ପାଲଟିଗଲା ଶ୍ମଶାନ ଭୂମି | କେଉଁଠାରେ ପଡିଥାଏ କଟା ହାତ ତ ଆଉ କେଉଁଠି କଟା ଗୋଡ | ଶବ୍ଦ ଶୁଣି ଧାଇଁଆସିଲେ ବାହାନଗା ଗାଁ ଲୋକେ |
ଦୁର୍ଘଟଣା ସ୍ଥଳରେ ପ୍ରଧାନମନ୍ତ୍ରୀ ନିଜେ ଯାଇ ମୃତକଙ୍କ ପରିବାର ତଥା ଆହତ ମାନଙ୍କୁ ଭେଟିଲେ | ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ନିଜେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଲେ ।
📱 Get Argus News App
✨ଆଜି ଅତୀତର ପୃଷ୍ଠା ପାଲଟିଗଲାଣି ବାହାନଗା ରେଳ ଦୁର୍ଘଟଣା । କିନ୍ତୁ ଆଜିବି କିଛି ତଥ୍ୟ ଅଜଣା ହୋଇ ରହିଛି | କିଛି ମୃତ ଶରୀରର ଆଜିବି କୌଣସି ପରିଚୟ ମିଳିପାରି ନାହିଁ | ଆଜି ବାହାନଗା ଦେଇ ଦୌଡୁଛି ହଜାର ହଜାର ଟ୍ରେନ, ହେଲେ ସେଦିନର ସେ କାଳ ରାତିର ଅଘଟଣ ଅନେକଙ୍କ ଜୀବନରେ ଛାଡିଯାଇଥିବା ଚିହ୍ନ କେବେବି ଲିଭିବା ସହଜ ନୁହେଁ | ତେବେ ସେହି ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଅର୍ଗସ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
ଅଧିକ ପଢନ୍ତୁ ଓଡିଶା ଖବର