ଠାକୁରଙ୍କୁ ଓପାସରେ ରଖି କରାଯାଇଥିଲା ପହଣ୍ଡି : ବାଡଗ୍ରାହୀ ହଳଧର ଦାସ

ପୁରୀ: ବଳଭଦ୍ରଙ୍କ ନୀତିରେ ହୋଇଛି ବଡ଼ ବିଭ୍ରାଟ । ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ, ଠାକୁରଙ୍କୁ ଓପାସରେ ରଖି କରାଯାଇଥିଲା ପହଣ୍ଡି । ପହଣ୍ଡି ଅଘଟଣ ଓ ନୀତିରେ ବ୍ୟତିକ୍ରମ ଉପରେ ବଳଭଦ୍ର ମହାପ୍ରଭୁଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ରଖିଲେ ପ୍ରତିକ୍ରିୟା । ସେବା ସଂପୃକ୍ତ ନଥିବା ବ୍ୟକ୍ତି ରଥ ଉପରେ ଚଢ଼ି ବ୍ୟାଘାତ ସୃଷ୍ଟି କରୁଛନ୍ତି । ମୋବାଇଲ୍ ଫଟୋ ଓ ରିଲ୍ସ ଯୋଗୁଁ ମହାପ୍ରଭୁଙ୍କୁ ଖେଳଘର ଭାବିବା କାଳ ହେଉଛି । ଅନଭିଜ୍ଞ ଯୁବ ସେବକଙ୍କୁ ଅଣଓଡ଼ିଆ ପ୍ରଶାସକ ହାତେଇ ନେଇ ସଅଳ ନୀତି ନାଁରେ ଅନେକ ନୀତିକୁ ବ୍ୟତିକ୍ରମ କରିଛନ୍ତି ।
ମହାପ୍ରଭୁଙ୍କୁ ନେତ୍ର ଦିଆଯିବା ପୂର୍ବରୁ ଅଣସର ଘରେ ହୋଇଛି ସେନାପଟା ଲାଗି । ଯାତ୍ରା ଦିନ ଉଦ୍ଦିଷ୍ଟ ଖେଚୁଡ଼ି ଭୋଗ ହୋଇନାହିଁ । ନୀତି ସଅଳ ନାଁରେ ଅନେକ ନୀତିକୁ ଛାଡ଼ି ଦିଆଯାଇଛି । ନୂଆ କରି ନିଯୁକ୍ତି ପାଇଥିବା ମୁଖ୍ୟ ପ୍ରଶାସକ ଯଦି ୧୦ ବର୍ଷ ରୁହନ୍ତି ତେବେ ଅନେକ ଶୃଙ୍ଖଳା ଆଣି ପାରିବେ । ସେ ଜଣେ ଓଡ଼ିଆ ହୋଇଥିବାରୁ ତାଙ୍କର ଜଗନ୍ନାଥ ସଂସ୍କୃତି ପ୍ରତି ମଧ୍ୟ ଯଥେଷ୍ଟ ଅଭିଜ୍ଞତା ରହିଛି । ତେବେ ସେବା ସଂପୃକ୍ତ ସେବାୟତ ହିଁ କେବଳ ସେବା କଲେ, ମୋବାଇଲ୍ ବାରଣ, ଏସବୁ ହେଲେ ଆଗକୁ ସବୁ ଠିକ୍ ହେବ । ତେବେ ସେବାୟତଙ୍କ ମଧ୍ୟରେ ଶୃଙ୍ଖଳା ବା ସମନ୍ଵୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର