Videos
|
Odisha

Balianta Murder Case / ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୬ ଗିରଫ, ବାଲିଅନ୍ତା ଯାଇ ୨ ଯୁବତୀଙ୍କୁ ଭେଟିବେ ମହିଳା କମିଶନର

Bikash Mohanty
Browse all articles by Bikash Mohanty
·4 months ago·3 min read
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୬ ଗିରଫ, ବାଲିଅନ୍ତା ଯାଇ ୨ ଯୁବତୀଙ୍କୁ ଭେଟିବେ ମହିଳା କମିଶନର
Murder

Key Points

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା
୬ ଅଭିଯୁକ୍ତ ଗିରଫ କଲା  କମିଶନରେଟ ପୋଲିସ
ମୃତକ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହେବ ପୋଷ୍ଟ ମୋର୍ଟମ
୨ ଯୁବତୀଙ୍କୁ ଭେଟିବେ ମହିଳା କମିଶନର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ  ନିର୍ଦ୍ଦେଶ
ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି  ପୋଲିସ୍‌ ଡିଜି



୦୮/୦୫, ଭୁବନେଶ୍ବର: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ କରିଛି କମିଶନରେଟ ପୋଲିସ। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ। ମୃତକ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହେବ ପୋଷ୍ଟ ମୋର୍ଟମ। ଅସଦାଚରଣ ଅଭିଯୋଗରେ ପିଟିପିଟି ହତ୍ୟା କରିଥିଲେ ଗାଁ ଲୋକ। ସେପଟେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ବାଲିଅନ୍ତା ଯାଇ ୨ ଯୁବତୀଙ୍କୁ ଭେଟିବେ ମହିଳା କମିଶନର। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି  ପୋଲିସ୍‌ ଡିଜି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନା।

ଗତକାଳି ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୁଲିସ ଆଖିଆଗରେ ଜଣେ ପୁଲିସକୁ ପିଟିପିଟି ହତ୍ୟା କରାଯାଇଛି। ସ୍ଥିତି ଏମିତି ହୋଇଥିଲା ଯେମିତି କେହି ମନେ କରିବ ପୁଲିସକୁ ଆଉ ଅପରାଧୀଙ୍କର ଡର ଭୟ ନାହିଁ। ଆଜିର ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଛି। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ, ଶହଶହ ଲୋକ ବି। ଆଉ କିଛି ଯୁବକ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ବିଧା ଗୋଇଠା ମାରୁଥିଲେ। ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟାଙ୍ଗି ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍‌, ଲାଠିରେ ପିଟିପିଟି ମାରିଦେ‌ଲେ। ମୃତ ଯୁବକ ଜଣକ ମଧ୍ୟ ଜଣେ ପୁଲିସ କନେଷ୍ଟବଳ। ଏଭଳି ଛାତିଥରା ହତ୍ୟାକାଣ୍ଡ ଘଟିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ। ମୃତକ ହେଲେ ଓଲଟପୁର ମଉଜପୁର ଗ୍ରାମର ସୌମ୍ୟରଂଜନ ସ୍ବାଇଁ (୩୦)। ସେ ରେଳବାଇରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ତାଙ୍କ ଜିମ୍‌ ଟ୍ରେନ୍‌ର ଓମ୍‌ପ୍ରକାଶ ରାଉତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଗୋଟିଏ ସମୟରେ ପୁଲିସ-ଜନତା ଧସ୍ତାଧସ୍ତି ଓ ଉତ୍ତେଜନା ବଢ଼ିବାରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସିସିଟିଭି ଫୁଟେଜ୍‌ରେ ହତ୍ୟା ବେଳର ଦୃଶ୍ୟ କଏଦ୍‌ ହୋଇଥିଲା ବେଳେ ଲୋକେ ମୋବାଇଲ୍‌ରେ ରେକର୍ଡିଂ କରିଥିବା ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରହିଛି।

ଗୁରୁବାର ପୂର୍ବାହ୍ଣ ପାଖାପାଖି ସାଢ଼େ ୧୦ଟା। ଦୁଇ ଜଣ ଯୁବତୀ ଏକ ସ୍କୁଟିରେ ରାମଚନ୍ଦ୍ରପୁର ବ୍ରିଜ୍‌ ଉପରେ ଯାଉଥିଲେ। ଏହି ସମୟରେ ସୌମ୍ୟରଂଜନ ଓ ତାଙ୍କ ଜିମ୍ ଟ୍ରେନ୍‌ର ଓମ୍‌ ଏକ ବାଇକ୍‌ରେ ଦୁଇ ଯୁବତୀଙ୍କୁ ପିଛା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍‌ରେ କିଛି ବାଟ ପିଛା ପରେ ବାଇକ୍‌ଟି ଯୁବତୀଙ୍କ ସ୍କୁଟି ପଛରୁ ଧକ୍କା ଦେଇଥିଲା। ଦୁଇ ଯୁବତୀ ତଳେ ପଡ଼ିଯିବା ପରେ ସୌମ୍ୟରଂଜନ ଓ ଓମ୍‌ ସେମାନଙ୍କୁ ଉଠାଇବା ପରିବର୍ତ୍ତେ ଅସଦାଚରଣ କରିଥିବା ଅଭିଯୋଗ ଆଣି ଦୁଇ ଯୁବତୀ ଚିତ୍କାର କରିଥିଲେ। ବାଟରେ ଯାଉଥିବା ଲୋକ ପ୍ରତିବାଦ କରିବାରୁ କଥା ବଢ଼ିଥିଲା। ଉତ୍ତ୍ୟକ୍ତ ଲୋକେ ଏକତ୍ରିତ ହୋଇ ସୌମ୍ୟରଂଜନ ଓ ଓମ୍‌ଙ୍କୁ ଘେରି ଯାଇଥିଲେ। ପରେ ସୌମ୍ୟଙ୍କୁ ଧକ୍କା, ବିଧା ମାରିଥିଲେ। ଆରମ୍ଭ ହୋଇଯାଇଥିଲା ଖଣ୍ଡଯୁଦ୍ଧ। ଜୀବନ ବଞ୍ଚାଇବାକୁ ସୌମ୍ୟ ଓ ଓମ୍‌ ଦୌଡ଼ିବା ବେଳେ କିଛି ଯୁବକ ରକ୍ତମୁଖା ପାଲଟି ଯାଇଥିଲେ। ନିକଟରେ ଥିବା ଦୋକାନ ଓ ଅନ୍ୟ ସ୍ଥାନରୁ ଲୁହା ରଡ୍‌, ବହ୍ଲା (କାଠ ଖୁଣ୍ଟ) ଆଣି ସୌମ୍ୟରଂଜନଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଓମ୍‌ ପ୍ରତିବାଦ କରିବାରୁ ତାଙ୍କୁ ବି ନିସ୍ତୁକ ପିଟିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୁଧୀର ହତ୍ୟାକାଣ୍ଡରେ ନୂଆ ମୋଡ଼; ପୁତୁରା-ଝିଆରୀ ନୁହେଁ, ଭାଉଜ ଓ ମାମୁଁ ହିଁ ଅସଲ ଖଳନାୟକ

ଖବର ପାଇ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ଯୁବକମାନଙ୍କୁ ବୁଝାସୁଝା କରିଥିଲା। ହେଲେ କେହି କିଛି ଶୁଣିନଥିଲେ। କିଛି ଯୁବକ ଓମ୍‌କୁ ବାନ୍ଧି ପକାଇ ଅଟକ ରଖିଥିବା ବେଳେ ଆଉ କିଛି ଯୁବକ ସୌମ୍ୟରଂଜନଙ୍କୁ ବ୍ରିଜ୍‌ ତଳ ନଦୀପଠାକୁ ନେଇଯାଇଥିଲେ। ସେଠାରେ ତାଙ୍କ ହାତଗୋଡ଼କୁ ରଶିରେ ବାନ୍ଧି ପକାଇଥିଲେ। ପରେ ଲୁହା ପାଇପ୍‌ରେ ସୌମ୍ୟରଂଜନଙ୍କୁ ଓଲଟା ଟାଙ୍ଗି ନିସ୍ତୁକ ପିଟିଥିଲେ। ପୁଲିସ ଓ ଶହ ଶହ ଲୋକ କେହି ଅଟକାଇବାକୁ ସାହସ ଜୁଟାଇ ପାରି ନଥିଲେ। ପୁଲିସ ଆଖି ସାମନାରେ ଘଣ୍ଟାଏ ଧରି ଚାଲିଲା ଏଭଳି ବର୍ବର ନିର୍ଯାତନା। ପିସିଆର୍‌ ଭ୍ୟାନ୍‌ କର୍ମଚାରୀ ଅସହାୟ ହୋଇ ଥାନାକୁ ଅଧିକ ଫୋର୍ସ ପଠାଇବାକୁ କହିଥିଲେ। ଫୋର୍ସ ପହଞ୍ଚିବା ପରେ ଗୁରୁତର ଦୁଇ ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା। ସେଠାରେ ଡାକ୍ତର ସୌମ୍ୟରଂଜନଙ୍କୁ ମୃତ ଘୋଷଣା କରିଥିଲେ।

ଡିସିପି ଶ୍ରୀ ମୀନା କହିଛନ୍ତି ଯେ ମୃତ ସୌମ୍ୟରଂଜନ ଏବଂ ତାଙ୍କ ଜିମ୍‌ ଟ୍ରେନର ଓମ୍‌ ସ୍କୁଟିକୁ ଧକ୍କା ଦେବା ପରେ ସେମାନଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଦୁଇ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଘଟଣାକୁ ନେଇ ଅନ୍ୟ ଦୁଇଟି ଭିନ୍ନ ଭିନ୍ନ, ଏଭଳି ୩ଟି ମାମଲା ହୋଇଛି। ଜିମ୍‌ ଟ୍ରେନର ଓମ୍‌ଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୋଗକାରିଣୀ ଦୁଇ ଯୁବତୀଙ୍କ ସହ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଘଟଣା ସମୟର ଅନେକ ଭିଡିଓ ଏବଂ ସିସିଟିଭି ଫୁଟେଜ୍‌ ପୁଲିସକୁ ମିଳିଛି। ସେ ସବୁକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।