Videos
|
Odisha

Banakalagi Niti / ଆଜି ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି, ୪ ଘଣ୍ଟା ଜଗାଦର୍ଶନ ବନ୍ଦ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଆଜି ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି, ୪ ଘଣ୍ଟା ଜଗାଦର୍ଶନ ବନ୍ଦ
Banakalagi Niti

Key Points

ଆଜି ୪ ଘଣ୍ଟା ଜଗାଦର୍ଶନ ବନ୍ଦ
ଆଜି କାର୍ତ୍ତିକ ମାସର କୃଷ୍ଣ ଦଶମୀ ତିଥି
ଆଜି ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି
ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ବନକଲାଗି ନୀତି

ଆଜି ୪ଘଣ୍ଟା ବନ୍ଦ ରହିବ ଜଗାଦର୍ଶନ... ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ବୁଧବାର କାର୍ତ୍ତିକ, କୃଷ୍ଣ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ମଧ୍ୟରେ ଅନ୍ୟତମ ପ୍ରମୁଖ ନୀତି ହେଉଛି ବନକଲାଗି ନୀତି । ଏହି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରାଯାଏ । ଏହି ନୀତି ସମୟରେ ଶ୍ରୀଜିଉମାନଙ୍କ ଦିବ୍ୟ ରୂପ ଆହୁରି ଆକର୍ଷଣୀୟ ଓ ମନୋରମ ହୋଇଥାଏ ।

ବନକଲାଗି ନୀତି ପାଇଁ ପାରମ୍ପରିକ ଭାବେ ହିଙ୍ଗୁଳ, ହରିତାଳ, କଳା, ଧଳା ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ । ଦତ୍ତମହାପାତ୍ର ସେବକମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ଏହି ଶୃଙ୍ଗାର କାର୍ଯ୍ୟ ସମ୍ପାଦନ କରନ୍ତି । ଏହି ସମୟରେ ଶ୍ରୀଜିଉମାନଙ୍କ ଶ୍ରୀମୁଖରେ ରଙ୍ଗ ଲଗାଯାଇ ଆଖି, ମୁହଁ ଓ ଅନ୍ୟାନ୍ୟ ଅଙ୍ଗର ବିଶେଷ ଶୃଙ୍ଗାର କରାଯାଏ ।

ବନକଲାଗି ନୀତି ଚାଲିଥିବା ସମୟରେ ସାଧାରଣତଃ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିଥାଏ । ନୀତି ସମାପ୍ତ ହେବା ପରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିଥାଏ । ଏହି ପବିତ୍ର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଶ୍ରଦ୍ଧା ଦେଖିବାକୁ ମିଳେ ।

ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ସେବାପୂଜା ବ୍ୟବସ୍ଥାରେ ବନକଲାଗି ନୀତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ଏହି ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକତା ଓ ପାରମ୍ପରିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ ।

ସେପଟେ ପୁରୀ ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ମଞ୍ଜୁର ହେଲା ୩ କୋଟି ୩୦ ଲକ୍ଷ ଟଙ୍କା । ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ହବିଷ୍ୟାଳୀ ମା’ । ଏହି ଅବସରରେ ହବିଷ୍ୟାଳୀଙ୍କ ସୁବିଧା ଓ ସୁପରିଚାଳନା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ କୋଟି ୩୦ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦନ କରାଯାଇଛି ।

ମାସସାରା ପୁରୀରେ ରହୁଥିବା ହବିଷ୍ୟାଳୀ ମା'ମାନଙ୍କ ସୁରକ୍ଷିତ ରହଣି, ମହାପ୍ରସାଦ ସେବନ ଏବଂ ଭଜନ-କୀର୍ତ୍ତନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦର୍ଶନାର୍ଥୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗାଡ଼ି ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, ବିଦ୍ୟୁତ ଓ ସ୍ୱାସ୍ଥ୍ୟସେବା କୁ ସୁନିଶ୍ଚିତ କରାଯାଇଛି, ଯେପରି ବ୍ରତ ପାଳନ ସମୟରେ କୌଣସି ଅସୁବିଧା ନ ହୁଏ ।  ସରକାରଙ୍କ ଏହି ବ୍ୟାପକ ବ୍ୟବସ୍ଥା ଯୋଗୁଁ ହବିଷ୍ୟାଳୀ ମା'ମାନେ ନିଷ୍ଠାର ସହ ନିଜର କାର୍ତ୍ତିକ ବ୍ରତ ସମ୍ପାଦନ କରୁଛନ୍ତି ।.

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: