ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି, ସାଢେ ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

Key Points
ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି। ପ୍ରାୟ ସାଢେ ପାଞ୍ଚଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ। ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି । ଏଥିପାଇଁ ପ୍ରାୟ ସାଢେ ପାଞ୍ଚଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
ବନକଲାଗି ଏକ ଗୁପ୍ତସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ସାଢେ ପାଞ୍ଚଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।