ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ଅନୁପ୍ରବେଶକାରୀଙ୍କୁ ବିଦା କରିବା ପାଇଁ ଆକ୍ସନ ମୋଡ଼ରେ ମୋହନ ସରକାର । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତହସିଲ,ବ୍ଲକ, ଥାନା ସ୍ତରରେ ଗଠନ ହେବ କମିଟି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ବର,କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରିବାକୁ ଅର୍ଡର ଦିଆଯାଇଛି । ଅନୁପ୍ରବେଶକାରିଙ୍କୁ ନେଇ ଆକ୍ସନ ମୋଡ଼ରେ ମୋହନ ସରକାର । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଅଙ୍କୁଶ ପରେ ସରକାର ଏବେ ସେମାନଙ୍କୁ ବିଦା କରିବାକୁ ନେଇଛନ୍ତି ବଡ଼ ପଦକ୍ଷେପ । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଧାନସଭାରେ ଏକ ଲିଖିତ ଉତ୍ତର ରଖି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତହସିଲ,ବ୍ଲକ, ଥାନା ସ୍ତରରେ କମିଟି ଗଠନ ପାଇଁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।
ସେପଟେ ସମ୍ବଲପୁର, ବାଲେଶ୍ବର,ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁରଠୁ ନେଇ ଖୋଦ ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଚିନ୍ତା ବଢାଇଛନ୍ତି ବାଂଲା ଅନୁପ୍ରବେଶକାରୀ । କିଏ ବସ୍ତିରେ ତ ଆଉ କିଏ ରେଳ ଷ୍ଟେସନ, କିଏ ଜରି ଗୋଟାଉଛି, ତ କିଏ ଖୋଲା ଆକାଶ ତଳେ ରହି ଚଳାଉଛି କାରବାର । ବର୍ଷ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ରହି ନିଜର କାୟା ବିସ୍ତାର କରିସାରିଲେଣି ବାଂଲାଦେଶୀ। ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ଆଉ ପରେ ଜାଗା ହଡ଼ପ କରିବା, ରାତିରେ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା, ହଥିୟାର ଧରି ଅପରାଧ ଭିଆଇବା ଭଳି ଅପରାଧିକ କାର୍ଯ୍ୟରେ ଏମାନଙ୍କ ନାଁ ଆଗରେ। ହେଲେ ଅଭିଯୋଗ ପୂର୍ବ ସରକାର ଭୋଟ ବ୍ୟାଙ୍କ ପଲିଟିକ୍ସ କରିବାକୁ ଏମାନଙ୍କୁ ସୁରକ୍ଷା ଦେଇ ଆସୁଥିଲେ । ଯାହାକୁ ନେଇ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ। ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ଥିବା ବିଧାନସଭାର ଲିଖିତ ଉତ୍ତରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନଙ୍କ ମଧ୍ୟରେ ବରଗଡରେ- ୨, ଭଦ୍ରକରେ-୧୯୯, କେନ୍ଦ୍ରାପଡ଼ାରେ-୧୬୪୯, ଭୁବନେଶ୍ଵରରେ-୧୭, ଜଗତସିଂପୁର-୧୧୧୨. ମାଲକାନଗିରିରେ -୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବସବାସ କରୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର