Investigation / ପ୍ରାଥମିକ ତଦନ୍ତ ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କଲେ ଦାୟୀ

Key Points
କଙ୍କାଳ ବୋହି ବ୍ୟାଙ୍କ ନେବା ଘଟଣାର ତଦନ୍ତ ଆରମ୍ଭ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଉତ୍ତରାଞ୍ଚଳ RDC
ପ୍ରାଥମିକ ତଦନ୍ତ ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କଲେ ଦାୟୀ
ଘଟଣାକୁ ନେଇ ସରଗରମ ରାଜ୍ୟ ରାଜନୀତି
ବିରୋଧୀ ଦଳ ନେତାଙ୍କୁ କଡ଼ା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ
କେନ୍ଦୁଝର ପାଟଣାରେ ଟଙ୍କା ପାଇଁ ଭଉଣୀର କଙ୍କାଳକୁ ବ୍ୟାଙ୍କ ବୋହି ନେବା ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହି ଅଭାବନୀୟ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କରିଛି RDC ଟିମ୍ । ତଦନ୍ତର ପ୍ରାଥମିକ ରିପୋର୍ଟରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଥିବା ବେଳେ, ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଟଙ୍କା ପାଇଁ ପୋତା ଶବ ଖୋଳି ବ୍ୟାଙ୍କ ନେବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ଆଜି କେନ୍ଦୁଝର ପାଟଣା ବ୍ଲକ ଡ଼ିଆନାଳି ଗାଁରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ପ୍ରଥମେ ଜିତୁ ମୁଣ୍ଡାଙ୍କ ଘର ଓ ଶ୍ମଶାନ ସ୍ଥଳ ବୁଲି ଦେଖିବା ପରେ RDC ଟିମ୍ ସିଧା ବ୍ୟାଙ୍କରେ ପହଞ୍ଚିଥିଲେ। ଜିତୁ ମୁଣ୍ଡା ଓ ତାଙ୍କ ଭଉଣୀ ପୂର୍ବରୁ 8 ଥର ବ୍ୟାଙ୍କରୁ ଟଙ୍କା ଉଠାଇଥିବା CCTV ଫୁଟେଜରୁ ଜଣାପଡ଼ିଛି । ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଚିହ୍ନିଥିଲେ ମଧ୍ୟ ଶେଷ ସମୟରେ ଟଙ୍କା ନଦେଇ ଜିତୁଙ୍କୁ ହଇରାଣ କରିଥିବା ସୂଚନା ଦେଇଛନ୍ତି ଆରଡିସି । ପ୍ରାଥମିକ ତଦନ୍ତରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଅବହେଳା ଥିବା ଜଣାପଡୁଛି ।
ଏଥିସହ ପଢନ୍ତୁ: କଙ୍କାଳ ଲଜ୍ଜା: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା
କେବଳ ବ୍ୟାଙ୍କ ନୁହେଁ, ବରଂ ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଓ ପୋଲିସର ଅପାରଗତା ଉପରେ ମଧ୍ୟ RDC ପ୍ରଶ୍ନ ଉଠାଇଛନ୍ତି। ଘଟଣାରେ ଆଉ ଏକ ନୂଆ ମୋଡ଼ ଆସିଛି। ଜିତୁ ମୁଣ୍ଡା ନିରକ୍ଷର ହୋଇଥିବା ବେଳେ, ତାଙ୍କ ଭଉଣୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଅନ୍ୟ ଜଣେ ବ୍ୟକ୍ତି ଟଙ୍କା ଖର୍ଚ୍ଚ କରି ଆଫିଡ଼େଭିଟ୍ କାହିଁକି କଲେ, ସେ ନେଇ ସନ୍ଦେହ ଉପୁଜିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିତୁ ମୁଣ୍ଡା ।
ସେପଟେ ଘଟଣାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଆରେ ଭାଷଣ ଦେଇ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାଲଟା ଜବାବ ରଖିଛନ୍ତି । ଘଟଣାର RDC ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବାକୁ ବାକି ରହିଲା ।
📱 Get Argus News App
✨Related Topics
Explore more stories