ଜଳଛତ୍ର ନାରେ ବାଙ୍କୀ NAC ଲୋକଙ୍କୁ ଭୁଆଁ ବୁଲାଉଛି

ଅର୍ଗସ ବ୍ୟୁରୋ: ସାରା ରାଜ୍ୟ ଏବେ ତତଲା କଡେଇରେ ଭାଜି ହେଉଥିବା ବେଳେ ତତଲା ଖରାରେ କଲବଲ ହେଉଛନ୍ତି ଲୋକେ। ସମାନ ସ୍ଥିତି ଏବେ ଦେଖିବାକୁ ମିଳିଛି ବାଙ୍କୀରେ ଦିନ 10ଟା ସମୟରୁ ତାତିର ମାତ୍ରା 40ଡିଗ୍ରୀରୁ ଉର୍ଦ୍ଧ୍ବ। କିନ୍ତୁ ବାଙ୍କୀ NAC ପକ୍ଷରୁ ଅଂଶୁଘାତ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସହର ମଧ୍ୟରେ ଜଳଛତ୍ର ନାଁ ରେ ଚାଲିଛି ପ୍ରହସନ। ରାତି ପାହିଲେ ସହରକୁ ଆସୁଥିବା ଶହ ଶହ ଲୋକଙ୍କୁ ଅଂଶୁଘାତ ନିୟନ୍ତ୍ରଣ ନାଁରେ ଜଳଛତ୍ର ଖୋଲି ଭୁଆଁ ବୁଲାଉଛନ୍ତି। କୋଉଠି ଖାଲି ମାଠିଆ ତ କୋଉଠି ରାସ୍ତା କଡରେ ବେସାହାରା ପରି ଖରା ଖାଉଛି ଜଳଛତ୍ର ଟେଣ୍ଡ।
NAC ପକ୍ଷରୁ ସହର ମଧ୍ୟରେ କରାଯାଇଥିବା ଜଳଛତ୍ର ଗୁଡିକର ଅବବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଥାନା, ମେଡିକାଲ, କୋର୍ଟକୁ ଆସୁଥିବା ଲୋକେ ପାଣି ଟିକେ ପାଇବାରୁ ହେଉଛନ୍ତି ବଞ୍ଚିତ। ବାଧ୍ୟ ହୋଇ ଦୋକାନରୁ ପାଣି କିଣିବାକୁ ପଡୁଛି ବୋଲି କହିଛନ୍ତି ଲୋକେ।
ବାଙ୍କୀ NAC କେବଳ ଅଂଶୁଘାତ ନିୟନ୍ତ୍ରଣ ନାଁରେ କେବଳ ଲକ୍ଷାଧିକ ଟଙ୍କା ହରି ଲୁଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଲୋକେ। ଜଳଛତ୍ର କେନ୍ଦ୍ରରେ ନା ଅଛି ବିଶୁଦ୍ଧ ପାଣି ନା ଜଳଛତ୍ର କେନ୍ଦ୍ରରେ ଲୋକଙ୍କୁ ପାଣି ଦେବାକୁ ଅଛନ୍ତି କୌଣସି କର୍ମଚାରୀ। ଜଳଛତ୍ର କେନ୍ଦ୍ରରେ ପାଣି ମଧ୍ୟ ବିଶୁଦ୍ଧ ନୁହେଁ। ତେବେ ଏହି ପାନୀୟଜଳ ଲୋକଙ୍କ ପାଇଁ କେତେ ହିତକାରକ ତାହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ। ସେପଟେ ବାଙ୍କୀ NAC କାର୍ଯ୍ୟାଳୟ ସମ୍ମୁଖରେ 2007ମସିହାରେ ସେତେବେଳର ବିଧାୟକ ପ୍ରଭାତ ତ୍ରିପାଠୀ ଏଂବ କଟକ ସାଂସଦଙ୍କ ଦ୍ୱାରା ଉଦଘାଟନ ଥଣ୍ଡା ପାନୀୟ ଗୃହ ଏବେ କୋମାରେ।
ବାଙ୍କୀ NAC ସହର ମଧ୍ୟରେ ପାଖାପାଖି ଆଠରୁ ଦଶ ଗୋଟି ବିଭିନ୍ନ ଛକର ରାସ୍ତା କଡ଼ ମାନଙ୍କରେ ଜଳଛତ୍ର ତିଆରି କରି ପ୍ରତ୍ୟେକ କେନ୍ଦ୍ରରେ ଦୁଇ ଗୋଟି ମାଠିଆ, ଗୋଟିଏ ଗ୍ଲାସ ରଖି ଦେଇ ନିଜର କାମ ସାରି ଦେଇଛି। ଲୋକେ ଖରାରେ ଏହାର ବ୍ୟବହାର କରନ୍ତୁ ବା ନକରନ୍ତୁ ଗ୍ରୀଷ୍ମ ଦିନେ ସରକାରଙ୍କ ଅଂଶୁଘାତ ନିୟନ୍ତ୍ରଣ ପାଇଁ କାମ କରୁଛନ୍ତି ବୋଲି ପ୍ରଚାର ପ୍ରସାର କରିବାରେ ପଛରେ ନାହିଁ ବାଙ୍କୀ NAC ବୋଲି ଲୋକେ କହିଛନ୍ତି। ତେବେ ବାଙ୍କୀ NAC କେବେ ଅଂଶୁଘାତ ନିୟନ୍ତ୍ରଣ କରିବାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର