Videos
|
Odisha

Odisha News / ବାରିପଦାବାସୀଙ୍କ ପାଇଁ ବଡ଼ ଖୁସି ଖବର..ବୁଢ଼ାବଳଙ୍ଗରେ ହେବ ଆଡ଼ିବନ୍ଧ, ଖର୍ଚ୍ଚ ହେବ ୪୭୫ କୋଟି

Ritu Das
Browse all articles by Ritu Das
·34 mins ago·2 min read
ବାରିପଦାବାସୀଙ୍କ ପାଇଁ ବଡ଼ ଖୁସି ଖବର..ବୁଢ଼ାବଳଙ୍ଗରେ ହେବ ଆଡ଼ିବନ୍ଧ, ଖର୍ଚ୍ଚ ହେବ ୪୭୫ କୋଟି
India

Key Points

ବଦଳିବ ବାରିପଦାର ଭାଗ୍ୟ...
ସାକାର ହେବ ସହରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ
ବଦଳିବ ବାରିପଦାର ଭାଗ୍ୟ... ସାକାର ହେବ ସହରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ । ବୁଢ଼ାବଳଙ୍ଗ ନଦୀରେ ନିର୍ମାଣ ହେବ ଆଡ଼ିବନ୍ଧ । ବନ୍ୟା ନିୟନ୍ତ୍ରଣ ସହ ଭୂତଳ ଜଳସ୍ତର ବୃଦ୍ଧି ଓ ପାନୀୟ ଜଳ ସମସ୍ୟାର ହେବ ସ୍ଥାୟୀ ସମାଧାନ । କେବଳ ସେତିକି ନୁହେଁ, ରିଂରୋଡ୍ ନିର୍ମାଣ ଏବଂ ବୁଢ଼ାବଳଙ୍ଗ ନଦୀକୂଳରେ ରିଭର ଫ୍ରଣ୍ଟ ଭିୟୁ ଯୋଜନା ଦ୍ୱାରା ସୌନ୍ଦର୍ଯ୍ୟକରଣ ମଧ୍ୟ ହେବ । ଦୁଇଟି ପର୍ଯ୍ୟାୟରେ ପ୍ରାୟ ୪୭୫ କୋଟି ଟଙ୍କାର ପ୍ରକଳ୍ପକୁ ମିଳିଛି ସରକାରୀ ଅନୁମୋଦନ । ଆରମ୍ଭ ହୋଇଛି ଟେଣ୍ଡର ପ୍ରକ୍ରିୟା । ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି ଏହି ସୂଚନା ।

ପ୍ରକୃତିର କୋଳରେ ଅବସ୍ଥିତ ମୟୂରଭଞ୍ଜର ଐତିହ୍ୟ ସମ୍ପନ୍ନ ସହର ବାରିପଦା । ହେଲେ ପ୍ରତିବର୍ଷ ବର୍ଷା ଆସିଲେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ସହ ବନ୍ୟା ଆଶଙ୍କା ଘାରେ ସହରବାସୀଙ୍କୁ । ଅନ୍ୟପଟେ ଗ୍ରୀଷ୍ମ ଋତୁରେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଦେଖାଦିଏ ଗୁରୁତର ପାନୀୟ ଜଳ ସମସ୍ୟା । ଏହି ଦୁଇଟି ସମସ୍ୟାର ସମାଧାନ ପାଇଁ ଦୀର୍ଘବର୍ଷ ଧରି ଆଡ଼ିବନ୍ଧ ଓ ରିଂରୋଡ୍ ନିର୍ମାଣ ଦାବି ହୋଇଆସୁଥିଲା । ଏବେ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଦାବି ପୂରଣ ହେବାର ବାଟ ଫିଟିଛି । ବାରିପଦାର ବିକାଶ ପାଇଁ ଦୁଇଟି ପର୍ଯ୍ୟାୟରେ ନିଆଯାଇଛି ବଡ଼ ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ୧୧ ଫେବୃଆରୀ ୨୦୨୬ରେ ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ବା ISS ବ୍ୟାରେଜ୍ ନିର୍ମାଣ ପାଇଁ ୧୯୬ କୋଟି ୬୯ ଲକ୍ଷ ଟଙ୍କା ଅନୁମୋଦନ ମିଳିଥିଲା । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ନଭେମ୍ବର ୨୦୨୬ରେ ବୁଢ଼ାବଳଙ୍ଗ ନଦୀରେ ଆଡ଼ିବନ୍ଧ ଓ ରିଂରୋଡ୍ ପ୍ରକଳ୍ପ ପାଇଁ ୨୭୮ କୋଟି ୧୩ ଲକ୍ଷ ଟଙ୍କାର ଅନୁମୋଦନ ମିଳିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆଗେଇଛି । ଦୁଇଟି ପର୍ଯ୍ୟାୟରେ ମୋଟ୍ ୪୭୪ କୋଟି ୮୨ ଲକ୍ଷ ଟଙ୍କାର ପ୍ରକଳ୍ପ ମାଧ୍ୟମରେ ବାରିପଦାର ଭବିଷ୍ୟତ ବଦଳାଇବାକୁ ଯୋଜନା କରିଛନ୍ତି ସରକାର ।

ଏଥି ସହ ପଢନ୍ତୁ:  ଦୁଇ ଭାଇଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି କାନ୍ଦି କାନ୍ଦି ଟଳିପଡ଼ିଲେ ଭଉଣୀ

ଏହି ପ୍ରକଳ୍ପ କେବଳ ବନ୍ୟା ନିୟନ୍ତ୍ରଣରେ ସୀମିତ ରହିବ ନାହିଁ । ISS ବ୍ୟାରେଜ୍ ମାଧ୍ୟମରେ ନଦୀରେ ଜଳ ସଂରକ୍ଷଣ କରାଯାଇପାରିବ । ଏହାଦ୍ୱାରା ଭୂତଳ ଜଳସ୍ତରରେ ଉନ୍ନତି ସହ ବାରିପଦା ସହର ଏବଂ ଆଖପାଖ ବ୍ଲକ୍ ଓ ପଞ୍ଚାୟତର ଗ୍ରାମାଞ୍ଚଳର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ରହିଛି । ଆଗାମୀ ୧୦୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଜଳ ଯୋଗାଣ ବ୍ୟବସ୍ଥାର ଯୋଜନା କରାଯାଉଛି । ଅନ୍ୟପଟେ ରିଂରୋଡ୍ ନିର୍ମାଣ ହେଲେ ସହରର ଯାତାୟାତ ବ୍ୟବସ୍ଥା ସୁଗମ ହେବ । ତେବେ ବାରିପଦା ପାଇଁ ଆଡ଼ିବନ୍ଧ ନିର୍ମାଣ କୌଣସି ନୂଆ ଦାବି ନୁହେଁ । ୨୦୧୩ ଅକ୍ଟୋବର ୧୩ ତାରିଖରେ ସାମୁଦ୍ରିକ ବାତ୍ୟା ଫାଇଲିନ୍ ପରବର୍ତ୍ତୀ ବନ୍ୟାରେ ଉବୁଟୁବୁ ହୋଇଥିଲା ବାରିପଦା ସହର । ସେତେବେଳର ସରକାର ଆଡ଼ିବନ୍ଧ ନିର୍ମାଣ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ବାସ୍ତବ ରୂପ ନେଇପାରିନଥିଲା । ଏବେ ପୁଣି ଥରେ ପ୍ରକଳ୍ପ ଆସିଥିବାରୁ ଏହାକୁ ନେଇ ଆଶାବାଦୀ ସହରବାସୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀର୍ଘବର୍ଷର ଦାବି, ବନ୍ୟାର ତିକ୍ତ ଅନୁଭୂତି ଓ ପାନୀୟ ଜଳ ସଙ୍କଟରୁ ମୁକ୍ତିର ଆଶା । ଏବେ ସରକାରୀ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପଗୁଡ଼ିକ ବାସ୍ତବ ରୂପ ନେଲେ ବନ୍ୟା ନିୟନ୍ତ୍ରଣଠାରୁ ଆରମ୍ଭ କରି ପାନୀୟ ଜଳ, ଯୋଗାଯୋଗ ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିହେବ ବାରିପଦାର ବିକାଶରେ ।