Videos
|
Odisha

Beauty Mohanty Case / ସସପେନ୍ସ ବଢ଼ାଇଲା ମୃତ୍ୟୁ ପୂର୍ବରୁ ବିୟୁଟି ମହାନ୍ତିଙ୍କ ହ୍ଵାଟ୍ସଆପ୍ ଷ୍ଟାଟସ୍

Sushanta Sahoo
Browse all articles by Sushanta Sahoo
·2 weeks ago·3 min read
ସସପେନ୍ସ ବଢ଼ାଇଲା ମୃତ୍ୟୁ ପୂର୍ବରୁ ବିୟୁଟି ମହାନ୍ତିଙ୍କ ହ୍ଵାଟ୍ସଆପ୍ ଷ୍ଟାଟସ୍
Chauliaganj IIC Beauty Mohanty Death

Key Points

ରହସ୍ୟରେ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ
କାଲି ଡ୍ୟୁଟି କରିଥିବାବେଳେ ଥାନା ରେଷ୍ଟରୁମରେ କାହିଁକି ଝୁଲି ପଡ଼ିଲେ ?
ବାନ୍ଧବୀ କହିଲେ- ସ୍ବାଭାବିକ ନଥିଲା ମହିଳା IICଙ୍କ ମାନସିକ ଅବସ୍ଥା
ପରିବାରର ଅଭିଯୋଗ- ହତ୍ୟା କରି ଦିଆଯାଉଛି ଆତ୍ମହତ୍ୟାର ରୂପ
କଟକ: ରହସ୍ୟ ବଢ଼ାଇଲା କଟକ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା । କାରଣ ଶୁକ୍ରବାର ରାତି ପ୍ରାୟ ସାଢ଼େ ଦଶଟା ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାରେ ଡ୍ୟୁଟି କରିଥିଲେ । ଥାନା କ୍ଵାର୍ଟରକୁ ଯିବା ପରେ ସକାଳୁ ଆଉ ଆସିନଥିଲେ । ଶନିବାର ସକାଳୁ ମହିଳା ଇନିସପେକ୍ଟରଙ୍କ ଫୋନକୁ କଲ୍ ଆସିଥିଲା ।

କିନ୍ତୁ ସେ ନ ଉଠାଇବାରୁ ଅନ୍ୟ କର୍ମଚାରୀ ଉପର ମହଲାକୁ ଯାଇ ରେଷ୍ଟରୁମ୍ କଵାଟ ବାଡେଇଥିଲେ । ଭିତରୁ କୌଣସି ଉତ୍ତର ମିଳିନଥିଲା । ବାଧ୍ୟ ହୋଇ ଥାନା କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ, ରେଷ୍ଟରୁମ୍ କବାଟ ଭାଙ୍ଗି ଦେଇଥିଲେ । ଆଉ ରୁମ୍ ଭିତରେ ଫ୍ୟାନରେ ଝୁଲୁଥିଲା ତାଙ୍କ ମୃତଦେହ । ତୁରନ୍ତ ଉପରିସ୍ଥ ଅଧିକାରୀ ଥାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ଚାଉଳିଆଗଞ୍ଜ ଥାନାରେ ଚାଞ୍ଚଲ୍ୟ…ମହିଳା IIC ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…ମୃତ୍ୟୁର କାରଣ ଅସ୍ପଷ୍ଟ 

ଜଣେ ମହିଳା ଇନିସପେକ୍ଟରଙ୍କ ରହସ୍ୟଜନ ମୃତ୍ୟୁ, ପୋଲିସ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଥିଲା । ବାପ ଘର ଓ ଶାଶୂ ଘର ଲୋକଙ୍କୁ ଖବର ଦିଆଯିବା ସହ ପୋଲିସ କମିଶନର, ଅତିରିକ୍ତ କମିଶନର, ଅତିରିକ୍ତ ଡିସିପି, ସବୁ ଜୋନର ଏସିପି ମେଡିକାଲରେ ପହଞ୍ଚିଥିଲେ ।

ପୋଲିସ କମିଶନର ପରିବାର ଲୋକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସିପି ଏସ୍‌. ଦେବଦତ୍ତ ସିଂହ କହିଛନ୍ତି, "କୌଣସି ବ୍ୟକ୍ତିଗତ କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।" ତେବେ ସିପିଙ୍କ ମନ୍ତବ୍ୟକୁ ମାନିବାକୁ ନାରାଜ ପରିବାର ସଦସ୍ୟ ।

ମୃତ ବିୟୁଟିଙ୍କ ବେକ ଓ ଗୋଡ଼ରେ ଦାଗ ରହିଛି l କୌଣସି କେମିକାଲ୍ ଦିଆଯାଇଥିବାରୁ ଶରୀର କଳା ପଡ଼ି ଆସୁଛି ଅଭିଯୋଗ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ । ସ୍ଵାମୀ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମନୋମାଳନ୍ୟ ନଥିବା କହିବା ପରେ ପୂରା ଘଟଣା ସନ୍ଦେହ ଘେରକୁ ଚାଲିଆସିଛି ।

ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଥିବାବେଳେ ତାଙ୍କର ଜଣେ ବାନ୍ଧବୀ ଅର୍ଗସ ନ୍ୟୁଜକୁ ବଡ଼ ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ ଜଣକ ସୁସ୍ଥ ମାନସିକତାରେ ଏଭଳି ଚରମ ନିଷ୍ପତ୍ତି ନେଇ ନଥାଇପାରନ୍ତି ବୋଲି ସେ ଦାବି କରିଛନ୍ତି । ବାରମ୍ବାର ସେ କହୁଥିଲେ ଲାଇଫ ବର୍ଡନ ହୋଇଗଲାଣି ।

ସେହିଭଳି ସୋସିଆଲ୍ ମିଡିଆରେ ମୋଟିଭେସନାଲ କୋଟ୍ ଗୁଡ଼ିକ ସେୟାର୍ କରୁଥିଲେ IIC ବିୟୁଟି ମହାନ୍ତି । ତାଙ୍କ ବାନ୍ଧବୀ କହିଛନ୍ତି, କେତେବେଳେ ଲଞ୍ଚ କରିଛନ୍ତି ନା ନାହିଁ ପଚାରିଲେ- ବ୍ରେକଫାଷ୍ଟ କରିବାକୁ ଭୁଲି ଯାଇଥିବା କହୁଥିଲେ ବିୟୁଟି ।

ଏଥିସହ ପଢ଼ନ୍ତୁ: ପ୍ରେମ ପାଇଁ ରଣକ୍ଷେତ୍ର ପାଲଟିଲା ରାଜଧାନୀ... ଭଙ୍ଗାରୁଜା ସହ ଆତଙ୍କରାଜ 

୨ରୁ ୩ ଥର ସେ ବ୍ରେକଫାଷ୍ଟ ଓ ଲଞ୍ଚ ଫେରାଇ ନେଇ ଘରେ ଫୋପାଡ଼ିଥିବା ସୂଚନା ଦେଇଥିଲେ । ତାଙ୍କ କାମର ଚାପକୁ ନେଇ ଘର ଲୋକ ମଧ୍ୟ ବ୍ୟସ୍ତ ହେଉଥିଲେ । ତେଣୁ ବନ୍ଧବୀ ଜଣକ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାର ନାହାନ୍ତି । ତାଙ୍କ ଉପରେ ଅନ୍ୟକିଛି ଚାପ ରହିଥିବା କଥା ସନ୍ଦେହ କରିଛନ୍ତି ବିୟୁଟିଙ୍କ ବାନ୍ଧବୀ ।

ପୂରା ଘଟଣାରେ କିଛି ଗୁଢ଼ ରହସ୍ୟ ଲୁଚି ରହିଥିବା ବିୟୁଟିଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବା ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ ହୋଇପଡ଼ିଛି ।

ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beauty Mohanty Death: Mystery Deepens Over Chauliaganj IIC's Death in Cuttack | Argus News | Argus News