Videos
|
Odisha

College Closed / ଜିଲ୍ଲାର ୨ କଲେଜରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜିଲ୍ଲାର ୨ କଲେଜରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା
Bhadrak Women's College and Naami College Closed Indefinitely

Key Points

ଚଳିତ ଥର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି କଲେଜ କର୍ତ୍ତୃପକ୍ଷ । କଲେଜରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ବନ୍ଦ କରାଯାଇଛି ।
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦୁଇଟି ମହାବିଦ୍ୟାଳୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିବା ସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି କଲେଜ କର୍ତ୍ତୃପକ୍ଷ ।

ଭଦ୍ରକ ସହରରେ ଥିବା ମହିଳା ମହାବିଦ୍ୟାଳୟରେ ଚଳିତ ଥର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି କଲେଜ କର୍ତ୍ତୃପକ୍ଷ । କଲେଜରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ବନ୍ଦ କରାଯାଇଛି । ଏନେଇ କଲେଜ କାନ୍ଥରେ ନିର୍ଦ୍ଦେଶନାମା ମରା ଯାଇଛି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ନାଆମୀ କଲେଜରେ ମଧ୍ୟ ସୁରକ୍ଷାକୁ ଦୃଷ୍ଟିରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଛି । ଏନେଇ କଲେଜ ପକ୍ଷରୁ କାନ୍ଥରେ ନିର୍ଦ୍ଦେଶନାମା ମରାଯାଇ ଅବଗତ କରାଯାଇଛି ।

ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ବନ୍ଦ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଆନ୍ଦୋଳନ ଜାରି ରହିଥିବାରୁ ଭଦ୍ରକ ମହିଳା ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ହେବା ପରେ କଲେଜ ପରିସରରେ ବିଭିନ୍ନ ଛାତ୍ରଗୋଷ୍ଠୀଙ୍କ ଆନ୍ଦୋଳନ ଯୋଗୁଁ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶ ବ୍ୟାହତ ହୋଇଛି ।

ଏଥିସହ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନୋମିନେସନ୍, ବଢ଼ିଲା ପ୍ରାର୍ଥୀଙ୍କ ଟେନସନ୍ 

ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ ତାରିଖଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ପାଠପଢ଼ା, ଶ୍ରେଣୀକାର୍ଯ୍ୟ ଓ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରଶାସନିକ କାର୍ଯ୍ୟ ବନ୍ଦ ରହିବ।

ଛାତ୍ରୀମାନଙ୍କୁ ଶାନ୍ତି ବଜାୟ ରଖିବା ସହ କଲେଜର ଅଫିସିଆଲ୍ ହ୍ୱାଟ୍ସଆପ୍ ଗ୍ରୁପ୍ ଓ ନୋଟିସ୍ ବୋର୍ଡ ମାଧ୍ୟମରେ ପୁନଃ ଖୋଲିବା ସମ୍ପର୍କିତ ସୂଚନା ଜାଣିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ବନ୍ଦ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ନାଆମୀ କଲେଜ ମଧ୍ୟ ବନ୍ଦ

କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁଁ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । କଲେଜ ପରିସରରେ ଉତ୍ତେଜନା ଓ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶ ବ୍ୟାହତ ହେଉଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଅନ୍ୟମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ। କଲେଜର ସ୍ୱାଭାବିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ସମ୍ପର୍କରେ ପରବର୍ତ୍ତୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଏଥିସହ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ବିଜ୍ଞପ୍ତିର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।