Videos
|
Odisha

Student Union Elections / ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନୋମିନେସନ୍, ବଢ଼ିଲା ପ୍ରାର୍ଥୀଙ୍କ ଟେନସନ୍

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନୋମିନେସନ୍, ବଢ଼ିଲା ପ୍ରାର୍ଥୀଙ୍କ ଟେନସନ୍
Student Union Elections

Key Points

ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ କଲେ ପ୍ରାର୍ଥୀ
ଛାତ୍ର ନେତାମାନେ ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି
କ୍ୟାମ୍ପସ୍ ସମସ୍ୟାକୁ ପ୍ରମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି
ଦୀର୍ଘ ୮ ବର୍ଷର ପ୍ରତୀକ୍ଷାର ଅନ୍ତ । ଆଜି ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଠୁଥିଲା ପଡୁଥିଲା କ୍ୟାମ୍ପସ । ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳୁ ସକାଳୁ ସରଗରମ ହୋଇଉଠିଥିଲା ମାହୋଲ । ରାଲି, ନାଚଗୀତ, ବାଜା ରୋଶଣି ଓ ମନ୍ଦିରରେ ପୂଜାର୍ଚ୍ଚନା ପରେ ନୋମିନେସନ୍ ଦାଖଲ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀ । ରାଜ୍ୟରେ ସର୍ବମୋଟ ୩୪୮ ମହାବିଦ୍ୟାଳୟରେ ୮ ହଜାର ୩୨୫ ନାମାଙ୍କନ ଦାଖଲ ହୋଇଥିଲା । ଯେଉଁଥିରୁ ୧୧୭୫ ନାମାଙ୍କନ ପତ୍ର ଖାରଜ ହୋଇଛି । ସର୍ବମୋଟ ୭ ହଜାର ୧୬୮ ଯୋଗ୍ୟ ପ୍ରାର୍ଥୀ ଲଢ଼ିବେ ଛାତ୍ର ସାଂସଦ ନିର୍ବାଚନ ।

ବାଜା ବଜାଇ, ବାଣ ଫୁଟାଇ, ନାଚ-ଗୀତ ମଧ୍ୟରେ ଶହ ଶହ ସମର୍ଥକଙ୍କୁ ଧରି, ଆଶାୟୀ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦିନରେ କ୍ୟାମ୍ପସ୍‌ର ଚିତ୍ର ପୂରା ରଙ୍ଗୀନ । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧୦ଟାରୁ ଗୋଟାଏ ମଧ୍ୟରେ ନାମାଙ୍କନ ଦାଖଲ କରିଛନ୍ତି ପ୍ରାର୍ଥୀ । ଲକ୍ଷ୍ୟ ଗୋଟିଏ, ନିଜର ଶକ୍ତି ପ୍ରଦର୍ଶନ ସହ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଟକ୍କର ଦେବା ।

କଟକର ରେଭେନ୍ସା, ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ, ଢେଙ୍କାନାଳର ଭୁବନ ବାଜିରାଉତ କଲେଜ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ସହ କଳାହାଣ୍ଡିର ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ- ସବୁଠି ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ABVP, NSUI ଏବଂ BCJD ପ୍ରାର୍ଥୀମାନେ ଶକ୍ତି ପ୍ରଦର୍ଶନ କରି ନିଜ ନିଜର ବିଜୟ ଦାବି କରିଛନ୍ତି । ଆସିକାରେ ନୋମିନେସନ ପୂର୍ବରୁ ମା’ ଖମ୍ବେଶ୍ୱରୀ ଓ ସୂତାକଳ ଚଣ୍ଡୀ ମନ୍ଦିରରେ ଆଶୀର୍ବାଦ ନେଇ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ବାହାରିଥିଲେ ।
ଏହି ନିର୍ବାଚନୀ ମାହୋଲ ଭିତରେ କିଛି ରୋଚକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିସ୍ଥିତ ପାନାବେଡା ମହାବିଦ୍ୟାଳୟ ସ୍ଥାପନ ଦିନଠାରୁ ପ୍ରଥମ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ସେଠାରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ।

ଅନ୍ୟପଟେ ଯାଜପୁର ଧର୍ମଶାଳା ମହାବିଦ୍ୟାଳୟରେ ୧୭ଟି ପଦବୀ ପାଇଁ କେବଳ ABVP ପ୍ରାର୍ଥୀ ନୋମିନେସନ ଭରିଥିବାରୁ ଏକତରଫା ବିଜୟ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଉତ୍ସାହ ଭିତରେ ଅସନ୍ତୋଷର ନିଆଁ ମଧ୍ୟ ଦେଖିବାକୁ ମିଳିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନୋମିନେସନ ଦାଖଲ କରିବାକୁ ଆସିଥିବା କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଳମ୍ବ ଦର୍ଶାଇ କର୍ତ୍ତୃପକ୍ଷ ସୁଯୋଗ ନଦେବାରୁ, ଭିସି ଅଫିସ ସମ୍ମୁଖରେ ଛାତ୍ରଛାତ୍ରୀମାନେ ବ୍ୟାପକ ପ୍ରତିବାଦ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁରକ୍ଷା କାରଣରୁ ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀର ନାଆମୀ କଲେଜରେ ନିର୍ବାଚନ ବାତିଲ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଲିଙ୍ଗଡୋ କମିଶନଙ୍କ ନିୟମାବଳୀ ଅନୁଯାୟୀ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ନାମାଙ୍କନରେ ପାୱାର୍ ସୋ’ ପରେ ଆଗକୁ ପ୍ରଚାରରେ ହେବ ଜୋରଦାର ଟକ୍କର । ପ୍ରତିଶ୍ରୁତି, ରଣନୀତି ଆଉ ଛାତ୍ରଛାତ୍ରୀଙ୍କ ସମର୍ଥନ, ଏସବୁ ଭିତରେ ନିଜ ପାଇଁ ଭୋଟ୍‌ ଯୋଗାଡ଼ କରିବାକୁ ଚାଲିବ କସରତ । କ୍ୟାମ୍ପସ୍‌ର ଏହି ଲଢ଼େଇରେ ଶେଷ ହସ ହସିବ କିଏ ? ଭିଡ଼ ଜିତିବ, ନା ଭୋଟ୍‌ ? ତାହା ଦେଖିବାର କଥା ।