Videos
|
Odisha

Bhadrak Schools Closed / ଭଦ୍ରକରେ ବଡ଼ ନିଷ୍ପତ୍ତି: ବନ୍ୟା ପାଇଁ ୧୩୧ ବିଦ୍ୟାଳୟରେ ପାଠପଢ଼ା ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଭଦ୍ରକରେ ବଡ଼ ନିଷ୍ପତ୍ତି: ବନ୍ୟା ପାଇଁ ୧୩୧ ବିଦ୍ୟାଳୟରେ ପାଠପଢ଼ା ବନ୍ଦ
School Closed

Key Points

ଭଦ୍ରକରେ ବଡ଼ ନିଷ୍ପତ୍ତି
ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ଭଦ୍ରକର ୧୩୧ ସ୍କୁଲ ଆଜି ବନ୍ଦ

ରାଜ୍ୟରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ମାରିଛି ଚାବୁକ୍ । ବୁଡ଼ିଛି ଫସଲ, ଭାଙ୍ଗିଛି ଘର, ଆଉ ଆଣ୍ଠେଇ ପଡ଼ିଛି ଚାଷୀର ମେରୁଦଣ୍ଡ । ସମୁଦ୍ର ଭଳି ଦିଶୁଛି ଗାଁ ଗଣ୍ଡା, ରାସ୍ତାଘାଟରେ ଛାତିଏ ଉଚ୍ଚର ବନ୍ୟାପାଣି, ତା’ ଭିତରେ ବାସହରା ହୋଇ ପଡ଼ି ରହିଛନ୍ତି ହଜାର ହଜାର ଲୋକ ।

ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ର ୧୩୧ଟି ପ୍ରଭାବିତ ବିଦ୍ୟାଳୟ ଆଜି ବନ୍ଦ ରହିବ । ଧାମନଗର ବ୍ଲକ୍‌ର ୬ଟି, ଭଦ୍ରକର ୧ଟି ଚାନ୍ଦବାଲିର ୭୩ଟି ଓ ତିହିଡ଼ିର ୫୧ଟି ସ୍କୁଲରେ ପାଠପଢ଼ା ଆଜି ବନ୍ଦ ରହିବ ।

ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ବିଦ୍ୟାଳୟକୁ ଯାତାୟାତ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିଦ୍ୟାଳୟ ବନ୍ଦ ରଖିବାର ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ପରିସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ସେପଟେ ହୀରାକୁଦ ଜଳଭଣ୍ଡାରକୁ କମୁଛି ଜଳ ପ୍ରବେଶ । ଆଜି ଆଉ ୧୦ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରୁ ଜଳ ପ୍ରବେଶ କମିବାରେ ଲାଗିଛି । ଫଳରେ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡ଼ିକୁ ବନ୍ଦ କରାଯାଉଛି । ଗତ ମଧ୍ୟରାତ୍ରରୁ ପର୍ଯ୍ୟାୟ କ୍ରମେ ମୋଟ ୧୦ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ମାତ୍ର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୬୦ ଫୁଟ୍ ରହିଛି । ଉପରମୁଣ୍ଡରୁ ସେକେଣ୍ଡ ପ୍ରତି ୨ ଲକ୍ଷ ୪ ହଜାର ୮୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେପଟେ ସେକେଣ୍ଡ ପ୍ରତି ୨ ଲକ୍ଷ ୧୭ ହଜାର ୫୬୯ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ରାଜ୍ୟରେ ଏବେ ପାଗରେ ପରିବର୍ତ୍ତନ ଜାରି ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିଲେ ବି, ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ କେତେକ ସ୍ଥାନରେ ପବନର ବେଗ ମଧ୍ୟ ବଢ଼ିପାରେ । ପବନ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ଫଳରେ ବଜ୍ରପାତ ସମୟରେ ବାହାରକୁ ବାହାରିବା ବେଳେ ସତର୍କ ରହିବାକୁ ପରାମର୍ଶ ରହିଛି । ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ଧୀରେ ଧୀରେ ଶୁଖିଲା ହେବାର ସମ୍ଭାବନା ରହିଛି।