ଭଟ୍ଟାରିକା ମନ୍ଦିର ବେଢ଼ାରେ ପଶିଲା ବନ୍ୟା ପାଣି, ଜଳସ୍ତର ବଢ଼ିଲେ ମା'ଙ୍କୁ କରାଯିବ ସ୍ଥାନାନ୍ତର

Key Points
ମହାନଦୀରେ ଆସୁଛି ଛୋଟ ବନ୍ୟା । ହୀରାକୁଦ ଗେଟ୍ ଖୋଲିବା ପରେ ବଢ଼ୁଛି ଜଳସ୍ତର । ମାଆ ଭଟ୍ଟାରିକା ବେଢାରେ ପଶିଲା ପାଣି ।
ମହାନଦୀରେ ବଢୁଛି ଜଳସ୍ତର । ମୁଣ୍ଡଳୀଠାରେ ସକାଳ ୮ଟା ସୁଦ୍ଧା ୬ ଲକ୍ଷ ୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । କଟକ ବଡ଼ମ୍ବା ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲିବା ପରେ ମହାନଦୀରେ ବଢୁଛି ଜଳସ୍ତର । ମା' ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ଯଦି ମନ୍ଦିରରେ ବନ୍ୟାଜଳ ଅଧିକ ପ୍ରବେଶ କରେ ତେବେ ମା'ଙ୍କୁ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ମା' ଭଟ୍ଟାରିକାଙ୍କ ସେବାୟତ ଓ ପ୍ରଶାସନ ପକ୍ଷରୁ ସଜାଗ ରହିଛନ୍ତି। ମନ୍ଦିରରେ ମା'ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡ଼ମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସେପଟେ ଆଜି ସନ୍ଧ୍ୟା ୬ଟାରେ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ବନ୍ୟାଜଳ । ମହାନଦୀରେ ଆସୁଛି ଛୋଟ ବନ୍ୟା । ନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପଶିବ ପାଣି, ପ୍ରଶାସନକୁ ଆଲର୍ଟ ରହିବାକୁ ଜଳସମ୍ପଦ ବିଭାଗ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ହୀରାକୁଦର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସେପଟେ ଜଳକା, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ କମିଛି ପାଣି । ମାତ୍ର ଲୋକଙ୍କ ଦୁର୍ଦ୍ଦଶା କମିନି । ଏବେ ବି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଅନେକ ଗାଁ ଓ ଚାଷ ଜମି ଉପରେ ଲହଡ଼ି ମାରୁଛି ବନ୍ୟା ଜଳ । ଫସଲ ନଷ୍ଟ ନେଇ ଚାଷୀ ଚିନ୍ତାରେ ଥିବାବେଳେ ଅନେକ ଲୋକଙ୍କ ଘର ପାଣି ଘେରରେ ।