Bhattimunda Sahi Jata / ଧୁମଧାମରେ ଶେଷ ହେଲା ଭଟିମୁଣ୍ଡା ଗ୍ରାମର ସାହି ଜାତ, ମନ ମୋହିଲା ଅଘୋରୀ ନୃତ୍ୟ

Key Points
ଇତିହାସ ଓ ପରମ୍ପରାର ସଙ୍ଗମ
ଅଘୋରୀ ନୃତ୍ୟ ମନ ମୋହିଲା
ରବିବାର ଧୁମଧାମରେ ଶେଷ ହୋଇଛି ଭଟିମୁଣ୍ଡା ଗ୍ରାମର ପାରମ୍ପାରିକ ସାହି ଜାତ । କଟକ ଜିଲ୍ଲାର ଐତିହ୍ୟପୂର୍ଣ୍ଣ ଭଟିମୁଣ୍ଡା ଗ୍ରାମ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଘଣ୍ଟୁଆ ସେବକ ଗ୍ରାମ । ଏଠାରେ ଉତ୍କଳର ଗଜପତି ମହାରାଜଙ୍କ ଶାସନ ସମୟରୁ ସାହିଜାତ ଅନୁଷ୍ଠିତ ହୋଇଆସୁଛି । ଭଟିମୁଣ୍ଡାରେ ଅନୁଷ୍ଠିତ ହୋଇଥିବା ସାହିଜାତରେ ପୁରୀର ପ୍ରସିଦ୍ଧ ସାହିଜାତର ଝଲକ ଦେଖିବାକୁ ମିଳିଥାଏ ।
ଚଳିତ ବର୍ଷ ଡିସେମ୍ବରରେ ଭଟିମୁଣ୍ଡାରେ ହୋଇଥିବା ଏହି ସାହି ଜାତରେ ଚାରି ସାହିର କଳାକାର ଅଂଶ ଗ୍ରହଣ କରି ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଗ୍ରାମର ମଧ୍ୟଭାଗରେ ଥିବା ମା' କାଳୀ ଓ ଗୋପାଳଜିଉଙ୍କ ବିଜେସ୍ଥଳୀ ମଣ୍ଡପରେ ମୁଖା ମାର୍ଜନା ପରେ ନିଷ୍ଠାରେ ରହିଥିବା କଳାକାରମାନଙ୍କର ଥାଟ ବନ୍ଧାଯାଇଥିଲା । ଆଉ ଏହା ପରେ ସଂଧ୍ୟାରେ ଯାତ୍ରା ପଟୁଆର ପରିକ୍ରମା ଲାଗି ବାହାରିଥିଲା ।
ଭାଇଚାରାର ନିଦର୍ଶନ ସହ ସମର ନିଆଁ ବନାଟି ଖେଳ, ନାଗା, କାଳିକା, ଦୁର୍ଗା, ମହାବୀର ଥାଟ ବାନ୍ଧି ଘଣ୍ଟ, କୀର୍ତ୍ତନ, ଢୋଲ ମହୂରୀ ବାଦ୍ୟର ତାଳେ ତାଳେ କଳାକାରମାନେ ନୃତ୍ୟ କରି ସାରାରାତି ଗ୍ରାମ ପରିକ୍ରମା କରିଥିଲେ । ଚଳିତ ବର୍ଷ ଦର୍ଶକଙ୍କ ମନ ମୋହିଥିଲା ଅଘୋରୀ ନୃତ୍ୟ । ଭଟିମୁଣ୍ଡାରେ ଅନୁଷ୍ଠିତ ହୋଇଥିବା ସାହିଜାତ ଦେଖିବା ଲାଗି ଆଖପାଖ ଅଞ୍ଚଳର ବିପୁଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
ଏହି ସାହି ଜାତକୁ ଭଟିମୁଣ୍ଡା ଗ୍ରାମର ଜଣେ ମୁରବୀ କହିଛନ୍ତି, ଏହି ଭଟିମୁଣ୍ଡା ହେଉଛି ପୁରୀ ଶ୍ରୀକ୍ଷେତ୍ର ଘଣ୍ଟୁଆ ସେବକଙ୍କ ଗ୍ରାମ । ପୁରୀରେ ସାହି ଜାତ ଏକ ମହାନ ପରମ୍ପରା । ଏହାକୁ ଅନୁକରଣ କରି ଭଟିମୁଣ୍ଡାରେ ସାହିଜାତ ଅନୁଷ୍ଠିତ ହେଉଛି । ଦୀର୍ଘ ବର୍ଷ ଧରି ଏହି ଉତ୍ସବ ପାଳନ ହେଉଛି । ଜଗନ୍ନାଥ ସଂସ୍କୃତିକୁ ବଜାୟ ରଖିବା ପାଇଁ ଭଟିମୁଣ୍ଡା ଗ୍ରାମର ଯୁବକଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ।