Videos
|
Odisha

Bhubaneswar Waterlogging / ଲଗାଣ ବର୍ଷାରେ ବେହାଲ ରାଜଧାନୀ, ସ୍ମାର୍ଟ ସିଟିରେ ଜଳବନ୍ଦୀ ସମସ୍ୟାରେ ଅତିଷ୍ଠ ଲୋକ

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
ଲଗାଣ ବର୍ଷାରେ ବେହାଲ ରାଜଧାନୀ, ସ୍ମାର୍ଟ ସିଟିରେ ଜଳବନ୍ଦୀ ସମସ୍ୟାରେ ଅତିଷ୍ଠ ଲୋକ
Bhubaneswar Waterlogging

Key Points

ରାଜଧାନୀରେ ଜଳବନ୍ଦୀ ସମସ୍ୟାରେ ଅତିଷ୍ଠ ଜନସାଧାରଣ
ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି
ଘରେ ଅଣ୍ଟାଏ ...ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି
ଲଗାଣ ବର୍ଷାରେ ବେହାଲ ରାଜଧାନୀ । ରାଜଧାନୀ ଉପକଣ୍ଠସ୍ଥ ହଂସପାଳ, ହରିଦାସପୁର, ମିଲେନିୟମ ସିଟି, ଜିଜିପି କଲୋନୀ ହୋଇଛି ଜଳମଗ୍ନ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ଜମିଛି ଅଣ୍ଟାଏ ଉଚ୍ଚର ବର୍ଷା ଜଳ । ଉପାନ୍ତ ଅଞ୍ଚଳ ପରି ରାଜଧାନୀରେ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଏପରି ସ୍ଥିତିକୁ ନେଇ ମହାନଗର ନିଗମର ମାଷ୍ଟର ପ୍ଲାନ୍ ଉପରେ ପ୍ରଶ୍ନ ଉଠିଛି ।

ରାସ୍ତାରେ ଆଣ୍ଠୁଏ ପାଣି । କୌଣସି ଉପାନ୍ତ ଅଞ୍ଚଳର ଦୁର୍ଗମ ଇଲାକା ନୁହେଁ, ବରଂ ଏହା ହେଉଛି ଖୋଦ୍ ସ୍ମାର୍ଟ ସିଟି ଭୁବନେଶ୍ୱରର ଉପକଣ୍ଠ । ବର୍ଷା ଦିନେ ଏସବୁ ସ୍ଥାନର ସ୍ଥିତି ନ କହିବା ଭଲ । ସାମାନ୍ୟ ବର୍ଷାରେ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି ତ ଆଉ କେଉଁଠି ଘରେ ଜମିଛି ଅଣ୍ଟାଏ ଉଚ୍ଚର ବର୍ଷା ଜଳ । ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଏସବୁ ଭିତରେ ଲୋକଙ୍କ ମଧ୍ୟରେ ବିଏମସି ବିରୋଧରେ ଦେଖିବାକୁ ମିଳିଛି ପ୍ରବଳ ଜନ ଅସନ୍ତୋଷ । ଲକ୍ଷ୍ମୀସାଗର ଥାନା ଅଞ୍ଚଳ ଜିଜିପି କଲୋନୀର ତାରିଣୀ ବସ୍ତି ଓ ଜଗନ୍ନାଥ ବସ୍ତିରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ଖୋଦ୍ ପୋଲିସ କମିଶନର ଏସ ଦେବଦତ୍ତ ସିଂ ପ୍ରଭାବିତ ଅଞ୍ଚଳକୁ ଯାଇ ବସ୍ତିବାସୀଙ୍କ ସହ ଆଲୋଚନା କରିବା ସହିତ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ।

ଅନେକ ଲୋକ ଜୀବନର ସମସ୍ତ ପୁଞ୍ଜି ବିନିଯୋଗ କରି ରାଜଧାନୀରେ ଘର କରି ରହିବାକୁ ସ୍ଵପ୍ନ ଦେଖିଥାନ୍ତି । ଭାବିଥାନ୍ତି ରାସ୍ତାଘାଟ, ଡ୍ରେନ୍, ପାନୀୟ ଜଳର ସୁବିଧା ସବୁକିଛି ଠିକ ଥିବ । ହେଲେ ବର୍ଷା ଦିନ ଆସିଲେ ପ୍ରଶାସନିକ ଅପାରଗତା ପାଇଁ ନାକେଦମ ହେଉଛନ୍ତି ଲୋକ । ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏସବୁ ଅଞ୍ଚଳ ଗୁଡ଼ିକରେ ଡ୍ରେନେଜ୍ ଭିତ୍ତିଭୂମି ପ୍ରତି ଅଣଦେଖା ଅଭିଯୋଗ ହୋଇଛି । ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଥିବା ବେଳେ ସାମାନ୍ୟ ବର୍ଷାରେ ଲୋକଙ୍କ ସମସ୍ୟା ବଢୁଛି । ବିଭାଗୀୟ କର୍ତ୍ତୃପକ୍ଷ କେବଳ ସ୍ଥିତି ସୁଧୁରିବ ବୋଲି ପ୍ରତିଶ୍ରୁତି ଦେଇ ଚାଲିଛନ୍ତି, ଯାହା ପାଣିର ଗାର ପାଲଟୁଛି ।

ରାଜଧାନୀବାସୀଙ୍କ ସମସ୍ୟା ବଢୁଥିବାରୁ ମହାନଗର ନିଗମର ମାଷ୍ଟର ପ୍ଲାନ୍ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସହରର ଉପକଣ୍ଠରେ ଜଳବନ୍ଦୀ ସମସ୍ୟା କେବେ ଦୂର ହେବ ? କେବେ ଆଶ୍ବସ୍ତ ହେବେ ପ୍ରଭାବିତ ଜନସାଧାରଣ? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: