ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡିକୁ ବଡ଼ ବିପତ୍ତି !

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡିକୁ ବଡ଼ ବିପତ୍ତି । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରେଙ୍ଗାଲିରୁ ବିଜେଡିର ପୂର୍ବତନ ବିଧାୟିକା ପ୍ରାର୍ଥୀ ରୀନା ତନ୍ତୀ । ପୁଣି ରାସେଶ୍ବରୀଙ୍କୁ ଧର୍ମେନ୍ଦ୍ରଙ୍କ ସାକ୍ଷାତ ଶାସକ ଦଳକୁ ପଡ଼ିବ କି ଭାରୀ । ବିଜୟୀ ଭବ କହି କେନ୍ଦ୍ରମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଲେ ରାସେଶ୍ବରୀ । ଦେବଗଡ଼ରେ ଚରମସୀମାରେ ବିଜେଡି ଗୋଷ୍ଠୀ କନ୍ଦଳ । ରୋମାଞ୍ଚ ଓ ରାଣୀଙ୍କ ସମର୍ଥକଙ୍କ ଧମକକୁ ନେଇ ଚିନ୍ତାରେ ଶାସକ ଦଳ । 2019 ନିର୍ବାଚନରେ ରେଙ୍ଗାଲି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ରୀନା ତନ୍ତୀ ଏବଂ ତାଙ୍କ ସ୍ବାମୀ ତଥା ବିଜେଡି ଆଦିବାସୀ ସେଲର ଜିଲ୍ଲା ସଭାପତି ମୋତିଲାଲ ତନ୍ତୀ ବିଜେପିରେ ହୋଇଛନ୍ତି ସାମିଲ। ସମ୍ବଲପରରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗେରୁଆ ଉତ୍ତରୀୟ ଓ ଟୋପି ପିନ୍ଧାଇ ତନ୍ତୀ ଦମ୍ପତ୍ତିଙ୍କୁ ବିଜେପିକୁ ସ୍ବାଗତ କରିଥିଲେ। ପୂର୍ବତନ ବିଧାଯିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରେ ଆଉ ଜଣେ ଟାଣୁଆ ନେତ୍ରୀ ଦଳ ଛାଡିବା ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡିକୁ ଭାରୀ ପଡ଼ିପାରେ। ତନ୍ତୀ ଦମ୍ପତ୍ତିଙ୍କର ଜିଲ୍ଲାର ଆଦିବାସୀ ଭୋଟ୍ ଉପରେ ବଡ଼ ପ୍ରଭାବ ରହିଥିଲା ତେଣୁ ଏମାନେ ଦଳ ଛାଡ଼ିବା ବିଜେଡି ଭାରୀ ପଡ଼ିପାରେ।
ସମ୍ବଲପୁର ରାଜନୀତିରେ ରବିବାର ଦେଖିବାକୁ ମିଳିଛି ଆଉ ଏକ ବଡ଼ ଟ୍ବିଷ୍ଟ୍। ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ତାଙ୍କ ଘରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ୍ସରେ ଫଟୋ ପୋଷ୍ଟ କରି ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ରାସେଶ୍ବରୀ ତାଙ୍କ ବିଜୟୀ ଭବ କହି ଆଶୀର୍ବାଦ ଦେଇଥିବା କହିଛନ୍ତି ଧର୍ମେନ୍ଦ୍ର। ରାସେଶ୍ବରୀଙ୍କର ଏହି ବରଦାନ ବିଜେଡିର ବଢାଇପାରେ ପାରେ ଟେନସନ୍। କାରଣ ଏବେବି ସମ୍ବଲପୁର ବିଜେଡି ସଙ୍ଗଠନରେ ରାସେଶ୍ବରୀଙ୍କର ରହିଛି ବଡ଼ ପ୍ରଭାବ।
ସେପଟେ ସମ୍ବଲପୁର ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ଦେବଗଡ଼ ବିଧାନସଭା ଆସନରେ ବିଜେଡ଼ିରେ ମୁଣ୍ଡଟେକିଛି ବଡ଼ ବିଦ୍ରୋହ। ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ବିଜେଡ଼ି ଟିକେଟ ଦେବା ଚର୍ଚ୍ଚା ଶାସକ ଦଳରେ ବିଦ୍ରୋହ ସୂତ୍ରପାତ କରିଛି। ରାସ୍ତାକୁ ଓହ୍ଲାଇଛନ୍ତି ରାଣୀ ଅରୁନ୍ଧତୀ ଦେବୀଙ୍କ ସମର୍ଥକ। ଯଦି ରାଣୀଙ୍କ ଟିକେଟ୍ କାଟି ରୋମାଞ୍ଚ ରଞ୍ଜନଙ୍କୁ ବିଜେଡି ପ୍ରାର୍ଥୀ କରେ ସମୂହ ଇସ୍ତଫା ଦେବା ପାଇଁ ଖୋଲାଖୋଲି ଧମକ ଦେଇଛନ୍ତି ରାଣୀଙ୍କ ସମର୍ଥକ।
ପୂର୍ବରୁ ରାଣୀଙ୍କୁ ଟିକେଟ୍ ଦିଆଯିବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ରୋମାଞ୍ଚ ରଞ୍ଜନ ଓରଫ ରୁନୁ ବିଶ୍ବାଳଙ୍କ ସମର୍ଥକ। ରୁନୁ ନାହିଁ ତ ବବି ନାହିଁ ବୋଲି ସ୍ଲୋଗାନ ଦେବା ସବ ବିଜେଡି ପୋଷ୍ଟର ମରାଇ ଦିଆଯିବନାହିଁ ବୋଲି ଖୋଲାଖୋଲି ଦେଇଥିଲେ ଚେତାବନୀ ଦେବଗଡ଼ରେ ବିଜେଡି ପାଇଁ ଏପଟେ କୂଅ ସେପଟେ ଖାଇ ଭଳି ପରିସ୍ଥିତି। ଯଦି ରାଣୀଙ୍କ ଟିକେଟ୍ କାଟିବେ ତାହାଲେ ଅସୁବିଧା ଆଉ ଯଦି ରାଣୀ ଲଢିବେ ତାହାଲେ ବି ଅଡୁଆ କାରଣ ପ୍ରଚାର ସମୟରେ ଅରୁନ୍ଧତୀ ଦେବୀଙ୍କୁ ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଲୋକେ ଘେରି 25 ବର୍ଷର ସରକାର ଦେବଗଡ଼ ପାଇଁ କଣ କରିଛି ତାର ହିସାବ ମାଗୁଛନ୍ତି। ଆଉ ଅରୁନ୍ଧତୀ ଦେବୀ ଅଡୁଆରେ ପଡ଼ିବା ପରେ କେତେବଳେ ଲୋକଙ୍କ ଉପରେ ବିରକ୍ତ ହେଉଛନ୍ତି ତ କେତେବେଳ ଟାଉଟର କହି ଲୋକଙ୍କୁ ଗାଳି ଦେଉଛନ୍ତି। ଏ ଭିଡିଓ ସବୁ ସେସିଆଲ ମିଡିଆରେ ଭାଇରାଲ ହେବା ଯୋଗୁଁ ଦେବଗଡ଼ରେ ଖୁବ୍ ବଦନାମ ହେଉଛି ଶାସକ ଦଳ। ଗୋଟେ ପଟେ ମହିଳା ସମ୍ମାନର କଥା କହୁଥିବା ବିଜେଡି ଯଦି ରାସେଶ୍ବରୀ ଓ ରୀନା ତନ୍ତୀଙ୍କ ପରେ ଅରୁନ୍ଧତୀଙ୍କ ଟିକେଟ୍ କାଟେ ତାହାଲେ ବିଜେଡି ଏକ ମହିଳା ବିରୋଧୀ ଦଳ ବୋଲି ବାର୍ତ୍ତା ଯିବ। ଏଭଳି ସ୍ଥିତିରେ ପୂରା ସମ୍ବଲପୁର ଲୋକସଭା କ୍ଷେତ୍ରରେ ହରଡଘଣାରେ ପଡ଼ିଯାଇଛି ଶାସକ ଦଳ।
ଅଧିକ ପଢନ୍ତୁ ଓଡ଼ିଶା ଖବର