ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବରଦାନ ସାଜିଛି ‘ବାଇକ୍ ଆମ୍ବୁଲାନ୍ସ'

ମୟୂରଭଞ୍ଜ: ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବରଦାନ ସାଜିଛି ‘ବାଇକ୍ ଆମ୍ବୁଲାନ୍ସ’। ଆଦିବାସୀ ବହୁଳ ଏବଂ ବଣ ପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ଏବେବି କେତେକ ସ୍ଥାନରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଛି। ବିଶେଷ କରି ରାସ୍ତା ଘାଟର ସମସ୍ୟା ହେତୁ ଅନେକ ଲୋକଙ୍କ ଘର ସମ୍ମୁଖରେ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏକ ଆହ୍ୱାନ ହୋଇଥାଏ। ତେଣୁ ଏହି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ର ସମାଧାନ କରିଛି ଏହି ‘ବାଇକ୍ ଆମ୍ବୁଲାନ୍ସ’। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଏହି ବାଇକ୍ ଆମ୍ବୁଲାନ୍ସ ସେବା ଚାଲିଛି। ଭୌଗୋଳିକ ପ୍ରତିବନ୍ଧକ ଥିବା ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ୍ ପାଇଁ ମୋଟ ୪ଟି ବାଇକ୍ ଆମ୍ବୁଲାନ୍ସ ରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଏହି ଆମ୍ବୁଲାନ୍ସ ସେବା ପରିଚାଳନା କରାଯାଉଛି ଏବଂ ଖୁବ୍ ସହଜରେ ଏହାର ସୁବିଧା ପାଇ ବେସ୍ ଉପକୃତ ହେଉଛନ୍ତି ଅପହଞ୍ଚ ଇଲାକାର ଅଧିବାସୀ।
ଜିଲ୍ଲାରେ ୨୦୨୧ରୁ ଏହି ‘ବାଇକ୍ ଆମ୍ବୁଲାନ୍ସ’ ସେବା ଚାଲିଛି। ମୁଖ୍ୟତଃ ଯେଉଁ ସ୍ଥାନକୁ ବଡ଼ ଆମ୍ବୁଲାନ୍ସ ଯାଇନପାରେ , ସେଠାରେ ବାଇକ୍ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେଉଛି। ବାଇକ୍ ଆମ୍ବୁଲାନ୍ସଗୁଡ଼ିକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଡ଼ା ଯାଇଛି। ଆଖ ପାଖ ଗାଁରେ କୌଣସି ଲୋକଙ୍କର ଜରୁରିକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସ୍ଥାନୀୟ ଆଶା କର୍ମୀ ବାଇକ୍ ଆମ୍ବୁଲାନ୍ସକୁ ଫୋନ୍ କରିଥାନ୍ତି। ଏବଂ ଖବର ପାଇ ତୁରନ୍ତ ରୋଗୀଙ୍କ ଘର ଦୁଆର ମୁହଁରୁ ରୋଗୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚାଇ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପରେ ପୁଣି ଘର ସମ୍ମୁଖରେ ଆଣି ଛାଡ଼ିଦେଇଥାଏ ଏହି ବାଇକ୍ ଆମ୍ବୁଲାନ୍ସ। ଜିଲ୍ଲାରେ ଅନ୍ୟ ବ୍ଲକ୍ ତଥା ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳରେ କିଭଳି ଏହି ସେବା ଉପଲବ୍ଧ ହୋଇପାରିବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆ ଯାଉଥିବା କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ।
ମୟୂରଭଞ୍ଜ ଜିଲ୍ଲାରେ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ‘ବାଇକ୍ ଆମ୍ବୁଲାନ୍ସ’ ସହିତ ଓମ୍ବାଡସି ପାଣ୍ଠି ସହାୟତାରେ ଆଡଭାନ୍ସ ଲାଇଫ୍ ସପୋର୍ଟ (ଏଏଲଏସ୍) ଏବଂ ବେସିକ୍ ଲାଇଫ୍ ସପୋର୍ଟ (ବିଏଲଏସ୍) ଆମ୍ବୁଲାନ୍ସ ସେବା ମଧ୍ୟ ଚାଲିଛି। ଆବଶ୍ୟକ ବେଳେ ରୋଗୀମାନେ ଏହି ସୁବିଧା ମଧ୍ୟ ପାଇପାରିବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର