Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ହେବ

Ritu Das
Browse all articles by Ritu Das
·1 year ago·3 min read
ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ହେବ

ଅର୍ଗସ ବ୍ୟୁରୋ: ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟି ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ କରିବା ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି।  ପ୍ରତିଭା, ସମ୍ବଳ ଓ ମାର୍କେଟ୍ ଭଳି ତିନୋଟି ପ୍ରମୁଖ ସ୍ତମ୍ଭ ମାଧ୍ୟମରେ ଦୁଇ ଦେଶର ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।  

ବିଶେଷଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳ ବା ଡିପଟେକ୍, ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପରିସଂସ୍ଥାନକୁ ଆଗକୁ ବଢ଼ାଇବାରେ ଭାରତ ସିଙ୍ଗାପୁରକୁ ଏକ ବିଶ୍ୱସନୀୟ ଜ୍ଞାନ ସହଯୋଗୀ ରାଷ୍ଟ୍ର ଭାବରେ ଦେଖୁଛି ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଏବଂ ଉଭା ହେଉଥିବା କ୍ଷେତ୍ରରେ ସହଯୋଗ ସମେତ ଭାରତ-ସିଙ୍ଗାପୁର ସମ୍ପର୍କକୁ ଏକ ବ୍ୟାପକ ଭାଗିଦାରୀରେ ପରିଣତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ୱଙ୍ଗ ଏକ ସୁଦୃଢ଼ ଢାଞ୍ଚା ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଜିଏଏନ୍ କିମ୍ ୟୋଙ୍ଗଙ୍କୁ ସାକ୍ଷାତ କରି ଶ୍ରୀ ପ୍ରଧାନ  ଭବିଷ୍ୟତ ପିଢ଼ିର ସହଭାଗିତା ସୃଷ୍ଟି କରିବା ପାଇଁ ଦକ୍ଷତାଭିତ୍ତିକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ସହଯୋଗ ଉପରେ ଆଲୋଚନା କରିଥିଲେ ।  

ଏହା ପୂର୍ବରୁ ଶ୍ରୀ ପ୍ରଧାନ ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂଙ୍କୁ ଭେଟି ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । ଭାରତର ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଜାତୀୟକରଣ ପାଇଁ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଉପରେ ଚର୍ଚ୍ଚା କରିଥିଲେ । ଦୁଇ ମନ୍ତ୍ରୀ ଓଭରସିଜ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ, ଯାହା ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ ସିଙ୍ଗାପୁର କମ୍ପାନୀରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିପାରିବେ । ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ସିଙ୍ଗାପୁର ସ୍କୁଲ ଏବଂ ସିଙ୍ଗାପୁରରେ ଭାରତର ସ୍କୁଲ ଖୋଲିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା । ଡିପଟେକ୍, ମେଡିସିନ, ଅତ୍ୟାଧୁନିକ ସାମଗ୍ରୀ ଇତ୍ୟାଦି ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ମିଳିତ ଗବେଷଣା ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଉଭୟ ଦେଶର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ ଏବଂ ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ପାଠ୍ୟକ୍ରମ ବିକାଶ, ଶିକ୍ଷାଦାନ ଏବଂ ଶିକ୍ଷକ ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ସିଙ୍ଗାପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ଏବଂ ଏନସିଇଆରଟି ମଧ୍ୟରେ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ । ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଚାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବା ସହ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଥିବା ଉଭୟ ପକ୍ଷର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏବଂ ଶିକ୍ଷାଗତ ସମ୍ପର୍କ ବୃଦ୍ଧି ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।
ଏହାବ୍ୟତୀତ ଶ୍ରୀ ପ୍ରଧାନ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟି ଭାରତ-ସିଙ୍ଗାପୁର ଜ୍ଞାନ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ । ଉଭୟ ନେତା ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଏବଂ ମିଳିତ ଉଦ୍ଦେଶ୍ୟ ହାସଲ ପାଇଁ କାର୍ଯ୍ୟ କରିବା  ଉପରେ ଗୁରୁତ୍ୱାରୋପ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନ ସିଙ୍ଗାପୁର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ୍ ପ୍ରଫେସର ଟାନ୍ ଇଙ୍ଗ୍ ଚି ଙ୍କୁ ଭେଟିଥିଲେ । ଜ୍ଞାନ, ଶୈକ୍ଷିକ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ଏବଂ ଏନୟୁଏସ ଏବଂ ସମସ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଯୋଗାଯୋଗକୁ ବଢାଇବା ଉପରେ ଆଲୋଚନା କରିଥିଲେ । ଷ୍ଟାର୍ଟଅପ୍, ସ୍ୱାସ୍ଥ୍ୟସେବା, ଅତ୍ୟାଧୁନିକ ସାମଗ୍ରୀ, ଡିଜିଟାଲାଇଜେସନ୍ ଏବଂ ସ୍ଥାୟୀତା ଆଦି କ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରିବା ପାଇଁ ଏନୟୁଏସ୍ ଏବଂ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ମିଳିତ ଉଦ୍ୟମରେ ସହଯୋଗ କରିପାରିବେ ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ 'ଭବିଷ୍ୟତର ବିଦ୍ୟାଳୟ' ନିର୍ମାଣ ଦିଗରେ ଜାଣିବା ପାଇଁ ହ୍ୱା ଚୋଙ୍ଗ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି, ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବା ତଥା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶକ୍ତି, ପ୍ରତିଭା ଏବଂ ସୃଜନଶୀଳ କାର୍ଯ୍ୟକୁ ଆକୃଷ୍ଟ କରିବା ପାଇଁ ଏଆଇ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ବିଦ୍ୟାଳୟଗୁଡ଼ିକ ଗୁଡିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Bilateral cooperation | Argus News