ବିଜେଡି ସରକାରର ମିଛ ରୂପାନ୍ତରୀକରଣର ଖୋଲିଲା ପୋଲ

ଅର୍ଗସ ବ୍ୟୁରୋ: 9 ଜାନୁଆରୀ 2024 । ସାଧାରଣ ନିର୍ବାଚନର ମାସ କେଇଟା ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିରେ ଏ ବିମାନ ବନ୍ଦରର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚାର କରାଗଲା ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି । ଆକାଶ ପଥରେ ଯୋଡ଼ି ହୋଇ ଇତିହାସ ରଚିଲା ମାଲକାନଗିରି । କିନ୍ତୁ ଉଦଘାଟନ ପରେ ନା ଏ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲା ନା କାର୍ଯ୍ୟକ୍ଷମ କରିବା ଅବସ୍ଥାରେ ଥିଲା। କେବଳ ନିର୍ବାଚନୀ ଫାଇଦା ଓ ଭୋଟ୍ ରାଜନୀତି ପାଇଁ କେମିତି ମାଲକାନଗିରିବାସୀଙ୍କୁ ଭୁଆଁ ବୁଲାଇଥିଲେ ନବୀନ ପଟ୍ଟନାୟକ ଏବେ ଖୋଲିଛି ତାର ପୋଲ୍।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ମାଲକାନଗିରି ବିମାନ ବନ୍ଦରକୁ ନଥିଲା DGCA ଅନୁମତି । ରାଜ୍ୟର 4ଟି ବିମାନ ବନ୍ଦର ଭୁବନେଶ୍ବର, ରାଉରକେଲା, ଜୟପୁର, ଉତ୍କେଲା ଏୟାରପୋର୍ଟକୁ ହିଁ DGCAର ଅନୁମତି ରହିଛି । ବିମାନ ଚଳାଚଳ ନେଇ କୌଣସି ଅନୁମତି ନ ଥାଇ ଏହି ବିମାନ ବନ୍ଦରକୁ ଉଦଘାଟନ କରିଦେଲେ ବିଜେଡି ସରକାର। ଅର୍ଥାତ୍ ନବୀନ ପଟ୍ଟନାୟକ ଜାଣିଥିଲେ ବିମାନବନ୍ଦର ନାଁରେ ମୁଖ୍ୟମନ୍ତ୍ରୀ ଭାବେ ଯାହା କହୁଛନ୍ତି ତାହା ମିଛ। ତଥାପି କେବଳ ଭୋଟ୍ ପାଇଁ ଆଦିବାସୀଙ୍କ ସହ ଛଳନା କରିଥିଲେ।
୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳର ବିମାନ ବନ୍ଦର, 1620 ମିଟର ଦୀର୍ଘ ରନୱେ ନିର୍ମାଣ କରାଯାଇଥିବା କୁହାଗଲା । ରାଜକୋଷରୁ ଖର୍ଚ୍ଚ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କରାଗଲା ଘୋଷଣା। ବିମାନ ବନ୍ଦର ଉଦଘାଟନ କରି ନବୀନ କହିଥିଲେ ମାଲକାନଗିରିକୁ ଆକାଶପଥରେ ସଂଯୋଗ ଦ୍ବାରା ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ ନବୀନ। DGCA ଅନୁମତି ନାହିଁ ବିମାନ ଚଳାଚଳ କରିପାରିବ ନାହିଁ ଜାଣି ସୁଦ୍ଧା ମାଲକାନଗିରିବାସୀଙ୍କୁ ଭଣ୍ଡାଇଥିଲେ ନବୀନ ପଟ୍ଟନାୟକ।
ସମୟ ସହ ଖୋଲୁଛି ନବୀନ ପଟ୍ଟନାୟକ ଓ ତାଙ୍କ ଅମଳରେ ବିଜେଡି କରିଥିବା ତମାମ୍ କେଳେଙ୍କାରୀର ଗୁମର। ବିକାଶ ଓ ରୂପାନ୍ତରୀକରଣ ନାଁରେ ନବୀନ, ତାଙ୍କ ଦଳ ଓ ସରକାର କେମିତି ଲୋକଙ୍କୁ ଭୁଆଁ ବୁଲାଉଥିଲେ ତାର ପ୍ରମାଣ ସାମ୍ନାକୁ ଆସୁଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର