ଭୁବନେଶ୍ବର ସାଂସଦ ଓ ଦୁଇଟି ବିଧାନସଭା ଆସନ ପାଇଁ ବାୟୋ ଡାଟା ଦେଲେ ନେତା

ଭୁବନେଶ୍ୱର: ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଏବଂ ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ଟିକେଟ ଆଶାୟୀ ଶକ୍ତି ପ୍ରଦର୍ଶନ କରି ଆସିଲେ ନବୀନ ନିବାସ । ନିଜର ଶତାଧିକ କର୍ମୀ ଙ୍କୁ ସାଙ୍ଗରେ ଧରି ନବୀନ ନିବାସ ସାମ୍ନା ରେ କଲେ ଶକ୍ତି ପ୍ରଦର୍ଶନ । ନବୀନ ଙ୍କୁ ବାୟୋଡ଼ାଟା ଦେଇ ନିର୍ବାଚନରେ ପ୍ରାଥି ହେବା ଲାଗି ଜଣାଇଲେ ଦାବି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବଦଳରେ ମୋତେ ଟିକେଟ ମିଳୁ ବୋଲି ନବୀନଙ୍କୁ ଭେଟି ଦାବି ରଖିଛନ୍ତି ଦଳର ଚାରି ଚାରି ଥରର କର୍ପରେଟର ଅମରେଶ ଜେନା । ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନ ବାବୁ ଯେଉଁ ବିକାଶ ଧାରା ଆରମ୍ଭ କରିଛନ୍ତି ତାହା ମଧ୍ୟ ନିର୍ବାଚନ ମଣ୍ଡଳୀରେ ବ୍ୟାଘାତ ହୋଇଛି । କିପରି ତାହା ଆଉ ନ ହେବ ଏବଂ ନବୀନ ପଟ୍ଟନାୟକଙ୍କର ସବୁ କାମ ସଠିକ ଭାବେ ଲୋକଙ୍କ ପାଖରେ ପହଁଚିବ ସେଥିପାଇଁ ମୁଁ ଚେଷ୍ଟା କରିବି ।ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନବୀନଙ୍କ କ୍ୟାବିନେଟର ମନ୍ତ୍ରୀ ଥିବା ଅଶୋକ ପଣ୍ଡାଙ୍କ ବଦଳରେ ଯୁବ ଚେହେରା ଭାବେ ମୁଁ ଟିକେଟ ପାଇବା ପାଇଁ ହକଦାର ବୋଲି କହିଛନ୍ତି ଦଳର ଚାରି ଚାରି ଥର କର୍ପରେଟର ବିରଞ୍ଚି ନାରାୟଣ ମହାସୁପକାର ।
ସେପଟେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ପାଇଁ ଦଳରେ କଳି ବଢିଛି । ପ୍ରାର୍ଥୀ ଦୌଡ ରେ ଏଣ୍ଟ୍ରି ମାରିଛନ୍ତି ବିଜେଡ଼ି ନେତା ତଥା ଭୁବନେଶ୍ୱର ର ପ୍ରଥମ ମେୟର ମିହିର ମହାନ୍ତି। ଶ୍ରୀମୟୀ ଙ୍କୁ କରିଛନ୍ତି କଡ଼ା କାଉଣ୍ଟର। ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ପାଇଁ ନବୀନ ନିବାସ ରେ ବାୟୋ ଡାଟା ଦେଇଛନ୍ତି ମିହିର। ବାୟୋ ଡାଟା ଦେଇ ସାରିବା ପରେ ଗଣ ମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ସାନ ଭଉଣୀ ଶ୍ରୀମୟୀ ବୁଲୁଛି, ସେ ବୁଲିବା ଦ୍ଵାରା କଣ ପ୍ରଭାବ ପଡ଼ୁଚି ନିର୍ବାଚନ ମଣ୍ଡଳୀ ରେ ସେ କଥା ମୁଁ କହିବିନି। କିନ୍ତୁ ଏତିକି କହିବି, I can give a better fight.
ଅନ୍ୟପଟେ ଅମରେଶ ଙ୍କୁ କାଉଣ୍ଟର କରିଛନ୍ତି ଅନନ୍ତ । କହିଛନ୍ତି ଯିଏ ଯାହାର ଯେମିତି ଆବେଦନ କଲେ ମଧ୍ୟ ସେଥିରେ କିଛି ଫରକ ପଡିବନି । ବିଜେଡିର ଯାହା ଶୁଭଙ୍କର ହେବ ସେହିପରି ନିଷ୍ପତି ମୁଖ୍ୟମନ୍ତ୍ରୀ ନେଇଥାନ୍ତି । ସେହି ନିଷ୍ପତ୍ତିକୁ ସମସ୍ତେ ମୁଣ୍ଡ ପାତି ମାନି ନିଅନ୍ତି । ବିଜେଡିର ଏହି କନ୍ଦଳ କେବଳ ଭୁବନେଶ୍ୱର ଭିତରେ ସୀମିତ ନୁହେଁ ସାରା ରାଜ୍ୟ କୁ ବ୍ୟାପିଛି। ଆଗକୁ ମୁଖିଆ କିଭଳି ମ୍ୟାନେଜ କରୁଛନ୍ତି ତାହା ଉପରେ ନଜର।
ଅଧିକ ପଢନ୍ତୁ ଓଡ଼ିଶା ଖବର
