Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ଷମତାରୁ ଗଲେ ବିଜେଡି ଭାଙ୍ଗିଯିବ, ଏହା ଥିଲା ବିଶ୍ଳେଷକଙ୍କ ମତ

Manini Pattanayak
Browse all articles by Manini Pattanayak
·2 years ago·3 min read
କ୍ଷମତାରୁ ଗଲେ ବିଜେଡି ଭାଙ୍ଗିଯିବ, ଏହା ଥିଲା ବିଶ୍ଳେଷକଙ୍କ ମତ

ଭୁବନେଶ୍ୱର:  ବିଦ୍ରୋହ ମୁହାଁ ବିଜେଡି । ପ୍ରଭାତ କହିଲେ ପରାଜୟ ପାଇଁ ପାଣ୍ଡିଆନ୍ ଦାୟୀ । ବବିପନ୍ଥୀଙ୍କ ବୈଠକ ପରେ ବିଜେଡି ନେତାଙ୍କ ବୟାନ, ଦଳରେ ଅନେକ ବିଭୀଷଣ । ପ୍ରଚାର ବେଳେ ମୋଦି ବି କହିଥିଲେ, 6 ମାସ ଭିତରେ ବିଜେଡିରେ ହେବ ବଡ ବିସ୍ଫୋରଣ । ରାଜନୈତିକ ବିଶ୍ଲେଷକଙ୍କ ମତ ଥିଲା, କ୍ଷମତାରୁ ଗଲେ ଭାଙ୍ଗିଯିବ ବିଜେଡି ।  ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମାନ । ଲାଗୁଛି ବିଶ୍ଳେଷକଙ୍କ ମତରେ ବି ଖୁବଶୀଘ୍ର ଲାଗିପାରେ ମୋହର । ବପର୍ଯ୍ୟୟ ପରେ ବଡ ବିଦ୍ରୋହ ଆଡକୁ ମୁହାଁଉଛି ବିଜେଡି । ଯେ କୌଣସି ମୁହୁର୍ତ୍ତରେ ଦଳ ଭିତରେ ହୋଇପାରେ ବଡ ଧରଣର ବିସ୍ଫୋରଣ । ଗୃହ ଯୁଦ୍ଧ ସ୍ଥିତିକୁ ନେଇ ଉଠୁଛି ପଡୁଛି ଶଙ୍ଖ ଶିବିରି । ନବୀନଙ୍କ ଏକତାର ମନ୍ତ୍ର ବି ନେତାଙ୍କୁ ବାନ୍ଧି ରଖିବାରେ ସଫଳ ହୋଇନି । ଶୀର୍ଶ ନେତୃତ୍ବଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଭିନ୍ନ ଭିନ୍ନ ସ୍ଥାନରେ ମେଳି ବାନ୍ଧୁଛନ୍ତି ପ୍ରତିପକ୍ଷ ଗୋଷ୍ଠୀ । ସ୍ଥିତି କହୁଛି ଅଲ ଇଜ୍ ନଟ ଓ୍ବେଲ୍ । ସମୀକ୍ଷା ପରେ ସୁପ୍ରିମୋଙ୍କ ନୋ ଆକ୍ସନ ଥିଓରୀ ବି ଅଧିକ ଅଡୁଆ ବଢାଇଛି । ଏପରି ସ୍ଥଳେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ସତ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜିଙ୍କ ଏହି ଅନୁମାନ।

 ସେପଟେ ବିଜେଡିର ବିଦ୍ରୋହ ଭିତରେ ବବି-ପାଣ୍ଡିଆନ୍ ଯୋଡିକୁ ନେଇ ସବୁଠୁ ଅଧିକ ବିବାଦ । ନବୀନଙ୍କ ପାଣ୍ଡିଆନ୍ ପ୍ରୀତି ପାଇଁ ଦଳରେ ବଢୁଛି ଅସନ୍ତୋଷ । ଭୈରବକୁ ସୁରକ୍ଷା ଦେଇ ବିବାଦକୁ ଟାଣି ହୋଇଛନ୍ତି ନବୀନ । ଦଳର ଜଣେ ପରେ ଜଣେ ବରିଷ୍ଠ ନେତା ସିଧାସଳଖ ନବୀନଙ୍କୁ କରୁଛନ୍ତି ପ୍ରଶ୍ନ । କିଛି ଦିନ ତଳେ ଶଙ୍ଖ ଭବନରେ ପ୍ରଥମ ଥର ସୁପ୍ରିମୋ ନେଉଥିବା ବୈଠକରେ ପରାଜୟର ଗୁମର ଖୋଲି ବର୍ଷିଥିଲେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏପରିକି ଦିନକ ପରେ ରଣେନ୍ଦ୍ରଙ୍କ ସମର୍ଥନ ବାହାରି ଥିଲେ ବିଧାୟକ ଅରୁଣ ସାହୁ,ବଦ୍ରି ପାତ୍ର ଓ ଗଣେଶ୍ବର ବେହେରା । ଆଉ ଏବେ ଦଳର ଆଉ ଜଣେ ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ମଧ୍ୟ ପରାଜୟ ପାଇଁ ବବି ପାଣ୍ଡିଆନ୍ ଙ୍କୁ ଦାୟୀ କରି କର୍ମୀ ସମ୍ମୀଳନିରେ ଦେଇଛନ୍ତି ଚେତାବନୀ । 11 ତାରିଖ ଭିତରେ ସୁପ୍ରିମୋ କିଛି ନ କଲେ ପରାଜୟର ଭିତିର ରହସ୍ୟ ଖୋଲିବେ ବୋଲି ଖୋଲା ଖୋଲି କହିଛନ୍ତି ପ୍ରଭାତ । ସେହିପରି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଘରେ ବବିପନ୍ଥୀଙ୍କ ବୈଠକ ପରେ ବିଜେଡି ନେତା ବୟାନ ଦେଇ କହିଛନ୍ତି ଦଳରେ ଅନେକ ବିଭୀଷଣ ଅଛନ୍ତି । 

ପରାଜୟ ପରେ କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ନବୀନ କହିଥିଲେ ବି ତାହା ହେଲା ନାହିଁ । ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ବସିଥିବା ବୈଠକରେ ବବି ପାଣ୍ଡିଆନ୍ ଙ୍କୁ ଅନେକ ନେତା ଦାୟୀ କରିଥିଲେ ବି ନବୀନଙ୍କ ସାର୍ଟିଫିକେଟ୍ ଅଧିକ ଅଡୁଆ ବଢାଇଲା । ଯାହାକୁ ନେଇ ଦଳ ଏବେ ଦୁଇ ଫାଳ । ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି ବରିଷ୍ଠ ନେତା । ଚର୍ଚ୍ଚା ହେଉଛି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ଭଳି ଅନେକ ଆଗ ଧାଡିର ନେତା ଗୋଟିଏ ପଟେ ଥିବା ବେଳେ ଅନ୍ୟପଟେ ରହିଛନ୍ତି ପ୍ରତାପ ଦେବ, ପ୍ରମିଳା ମଲିକ, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ରାଉତ ଙ୍କ ଭଳି କିଛି ନେତା । ତେବେ ଦଳରେ ଏପରି ଦୁଇ ଫାଳ ସ୍ଥିତି ଆଗକୁ କେଉଁ ଧରଣର ବିସ୍ଫୋରଣ କରାଉଛି ତାହା ଜଗନ୍ନାଥଙ୍କ ନବଯୌବନ ଦର୍ଶନ ପରେ ହିଁ ଜଣାପଡିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Sponsored
BJD will collapse if it leaves power, this was the opinion of the analyst | Argus News