ଓଡ଼ିଶାରେ ବିଜେପିର ଗୋଟେ ତୀରରେ ଦୁଇ ନିଶାନା

ଅର୍ଗସ ବ୍ୟୁରୋ: ବାରଣାସୀରେ ମୋଦି, ବରଗଡରେ ମୋହନ । ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଦେବେ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି । ବାରଣାସୀ ଠାରେ ବିରାଟ ପିଏମ କିଷାନ ସମ୍ମିଳନୀରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେହି ଦିନ ଦେଶ ସାରା ପାଳନ ହେବ ପିଏମ କିଷାନ ଉତ୍ସବ ଦିବସ । ଏହାକ୍ରମରେ ବରଗଡ ଠାରେ ହେବ ରାଜ୍ୟ ସ୍ତରୀୟ ପିଏମ କିଷାନ ଉତ୍ସବ । ଯୋଗ ଦେବେ ୩ ହଜାରରୁ ଉର୍ଦ୍ଧ୍ଵ ଚାଷୀ । ଏହାସହ ଜିଲ୍ଲା ଏବଂ ବ୍ଲକ ସ୍ତରରେ ମଧ୍ୟ ଆୟୋଜିତ ହେବ ପିଏମ କିଷାନ ଉତ୍ସବ । ଯାହାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କୃଷି ବିଭାଗ ସଚିବ । ବରଗଡ ପିଏମ କିଷାନ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଜାର ହଜାର ଚାଷୀ ଏବଂ ସାଧାରଣ ଲୋକ ଏହି ଉତ୍ସବରେ ଯୋଗ ଦେବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବରଗଡରେ ହୋଇଥିଲା ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ । ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ଼ରେ ଏକ ବିରାଟ ରୋଡ ଶୋ କରିବେ । ଏହାସହ ଜର୍ଜ ହାଇସ୍କୁଲ ପଡିଆରେ ଏକ ସମାବେଶକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ।
୨୦୧୫ରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବେ ବୋଲି ବରଗଡ ଜିଲ୍ଲା ସୋହେଲା ଠାରେ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସରକାର ପରିବର୍ତ୍ତନ ହୋଇଗଲା ପଛେ ନବୀନ ନିଜ ପ୍ରତିଶ୍ରୁତି ପୂରଣ କଲେ ନାହିଁ । ପାଣ୍ଡିଆନ କହିଥିଲେ ଧାନ ଏମଏସପି ୩୧୦୦ ଟଙ୍କା ହେଲେ ଓଡିଶା ୨୫ ବର୍ଷ ତଳକୁ ପଳାଇବ ।କିନ୍ତୁ ବିଜେଡି ସରକାର ପତନ ପରେ ଏବେ ଆଉ ପାଣ୍ଡିଆନଙ୍କ ଦେଖା ମିଳୁନାହିଁ । କିନ୍ତୁ ସବୁ ବୟାନବାଜି ଭିତରେ ବିଜେପି ପୂରଣ କରିଛି ୨୪ ନିର୍ବାଚନ ଇସ୍ତହାରର ସବୁଠୁ ବଡ ପ୍ରତିଶ୍ରୁତି । ଶପଥ ନେବା ପରେ ୧୨ ତାରିଖ ସଂଧ୍ୟାରେ ବିଜେପି ସରକାରର ପ୍ରଥମ କ୍ୟାବିନେଟରେ ଏ ନେଇ ପ୍ରସ୍ତାବ ପାରିତ ହୋଇଛି । ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପାଇବେ ଓଡିଶା ଚାଷୀ । ଯାହାକି ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ।
ଚାଷୀଙ୍କ ଆୟ ଦୁଇ ଗୁଣିତ କରିବା ପ୍ରଥମରୁ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ରହି ଆସିଛି । ହେଲେ ବିଜେଡି ସରକାର ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଓ ଦଳୀୟ ଭିତ୍ତିକ ଯୋଜନା ଯୋଗୁଁ ତାହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଏବେ ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଚାଷୀଙ୍କ ପ୍ରଗତି ଦୃତ ଗତିରେ ହେବ ବୋଲି ଆଶା ସଂଚାର ହୋଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: