କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି

ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗାର କରୁଛନ୍ତି। ଏହା ସତ୍ବେ ଦଳ ଭିତରେ ବବିଙ୍କ ଆଧିପତ୍ୟ ଜାରି ରହିଛି। ବବି ବିଜେଡିର କୌଣସି କମିଟିରେ ନାହାନ୍ତି, କିନ୍ତୁ ଦଳର ସବୁ ବୈଠକରେ ସେ ପ୍ରେଜେଣ୍ଟ ରହୁଛନ୍ତି, ଯାହାକୁ ନେଇ ବର୍ଷିଛନ୍ତି ଦଳର ବରିଷ୍ଠ ନେତା । ଦଳରେ କନ୍ଦଳ ଚରମ ସ୍ତରରେ ପହଞ୍ଚିଥିବାବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ ଚୁପ୍। ଲାଗୁଛି ଅସନ୍ତୁଷ୍ଟଙ୍କୁ ମନାଇବାରେ ନବୀନ ବିଫଳ ହୋଇଛନ୍ତି।
ଦିନକୁ ଦିନ ବିଗୁଡୁଛି ବିଜେଡି ସ୍ଥିତି। ଦଳ ଉପରୁ କମାଣ୍ଡ ନିୟନ୍ତ୍ରଣ ହରାଉଛନ୍ତି ସୁପ୍ରିମୋ। ନିର୍ବାଚନ ବିପର୍ଯ୍ୟୟ ପରେ ବଢ଼ୁଥିବା ଗୋଷ୍ଠୀକନ୍ଦଳରେ ଲଗାମ ଲଗାଇବାକୁ ଶୁକ୍ରବାର ବଡ଼ ମିଟିଂ ଡାକିଥିଲେ ନବୀନ। ତାଙ୍କ ସାମ୍ନାରେ ଜଣେ ପରେ ଜଣେ ବଡ଼ ନେତା ଅସନ୍ତୋଷ ଝାଡ଼ିଲେ।
ପୂର୍ବରୁ ଦଳର କାର୍ପଟଦାର ଥିବା ବଡ଼ ନେତାଙ୍କ ବିରୋଧରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିଷୋଦଗାର କଲେ। ଅଧିକାଂଶ ବିଜେଡି ନେତାଙ୍କ ଟାର୍ଗେଟରେ ଥିଲେ ବବି ଓ ପାଣ୍ଡିଆନ। ନବୀନ ସବୁ ଶୁଣିଲେ, କିନ୍ତୁ ଚୁପ୍ ରହିଲେ। ସୁପ୍ରିମୋ ନା ପ୍ରତିକ୍ରିୟା ରଖିଲେ ନା କାହାରିକୁ ତାଗିଦ କଲେ। ନବୀନଙ୍କ ଅସ୍ବାଭାବିକ ନିରବତା, ନୋ ଆକ୍ସନ ଥିଓରୀକୁ ଏବେ ବିଜେଡି ନେତାଙ୍କ ଭିତରେ ନୂଆ ଅସନ୍ତୋଷ। ପୁଣି ବିଜେଡି ବିପର୍ଯ୍ୟୟର ବଡ଼ କାରଣ କୁହାଯାଉଥିବା ବବି ଦାସଙ୍କ କମବ୍ୟାକ୍ ଏବେ ପାଲଟିଛି ବଡ଼ ଅସନ୍ତୋଷର କାରଣ। ଯାହାକୁ ନେଇ ଅନୁସୂଚିତ ଜନଜାତି ବୈଠକରେ ବିଷୋଦଗାର କରିଛନ୍ତି ଦଳର ବରିଷ୍ଠ ନେତା ମଙ୍ଗଳା କିଷାନ ।
ସେପଟେ ଲଗାତାର ବୟାନବାଜିକୁ ନେଇ ତେଜୁଛି ବିଜେଡି ରାଜନୀତି । ସମାଲୋଚନା କରୁଥିବା ନେତା ଦଳରେ ନ ରୁହନ୍ତୁ ବୋଲି ସିଧା ସିଧା ଶୁଣାଇଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । 24 ମହାଲଢ଼େଇ ସମୟରେ ପୂର୍ବାନୁମାନ କରିଥିଲେ ପ୍ରଧାନମନ୍ତ୍ରୀ। ଛଅ ମାସ ଭିତରେ ବିଜେଡିରେ ହେବ ବିସ୍ଫୋରଣ। କିନ୍ତୁ 3 ମାସ ପୁରିନାହିଁ, ବିଜେଡିରେ ସ୍ଥିତି ଅସମ୍ଭାଳ। କଳି ବଢୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗୁଛନ୍ତି ବିଜେଡି ନେତା। ସବୁ ପରେ ବି ସୁପ୍ରମୋ ନବୀନଙ୍କ ନିରବତା ବହୁ ନେତା ଓ ବିଧାୟକଙ୍କ ମନୋବଳ ଭାଙ୍ଗୁଛି।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର