Upper Lanth Irrigation / ମରୁଡି ଅଞ୍ଚଳ ହେବ ଶସ୍ୟ ଶ୍ୟାମଳା, ପୂରଣ ହେବ ଚାଷୀଙ୍କ ଆଶା

Key Points
ବଲାଙ୍ଗିର ଜିଲ୍ଲା ବେଲପଡାରେ ଅପର ଲାଂଥ ମଧ୍ୟମ ଜଳ ସେଚନ ପ୍ରକଳ୍ପ ମଞ୍ଜୁରୀ
ବେଲପଡା ବ୍ଲକର ୧୦ଟି ଗ୍ରାମପଞ୍ଚାୟତ ଉପକୃତ ହେବେ
ଦୂର ହେବ ଦାଦନ ସମସ୍ୟା
ସରକାରଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ
ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ ଅଟେ, ଯେଉଁଠାରେ ବର୍ଷା ନଥିଲେ ଚାଷୀମାନେ ଜମିକୁ ଜଳ ଦେଇ ଚାଷ କରିପାରୁନଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଅପର ଲାଂଥ ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି।
ଅପର ଲାଂଥ ମଧ୍ୟମ ଜଳସେଚନ ପ୍ରକଳ୍ପ ହେବା ଦ୍ୱାରା ଅଞ୍ଚଳରେ ଥିବା ବେଲପଡା ବ୍ଲକ ୧୦ ଟି ଗ୍ରାମପଞ୍ଚାୟତର ପ୍ରାୟ ୨୫ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ। ପ୍ରକଳ୍ପରୁ ପ୍ରାୟ ୪ ହଜାର ୭ ସହ ହେକ୍ଟର ଜମିକୁ ପାଣି ମାଡ଼ିବ। ଚାଷୀମାନେ ବର୍ଷାକୁ ଅପେକ୍ଷା କରିବା ଛାଡ଼ି, ସେମାନଙ୍କର ଜମିରେ ସୁନା ଫଳାଇ ପାରିବେ। ଅପରଲାଂଥ ପ୍ରକଳ୍ପ ଦ୍ୱାରା ବେଲପଡା ବ୍ଲକ ଘାଗୁର୍ଲି ଗ୍ରାମପଞ୍ଚାୟତ ପଣ୍ଡକିମାଲ,ଜାମଯୁରି ସମ୍ପୂର୍ଣ୍ଣ ବିସ୍ଥାପିତ ହେବାକୁ ଥିବାବେଳେ ଚଲକି ଓ ଡ଼ୁମେରବାହାଲ ଆଂଶିକ ବିସ୍ଥାପିତ ହେବ l ସେହିପରି ଖପ୍ରାଖୋଲ ବ୍ଲକର ବୁଢ଼ୀମାଲ, ବେନ୍ଦେର ଓ ଭାଲୁମୁଣ୍ଡାର ଲୋକ ଆଂଶିକ ବିସ୍ଥାପିତ ହେଵା ନେଇ ଆକଳନ କରାଯାଉଛି।
ଟେଣ୍ଡର ହୋଇଥିବା ଖବର ଅଞ୍ଚଳରେ ପ୍ରଚାର ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯିବା ସହିତ ବିସ୍ଥାପିତ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ସହିତ ଥଇଥାନ କରିବା ପାଇଁ ଦାବି କରିଛନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ: ଦିବ୍ୟାଙ୍ଗଙ୍କ ପାଇଁ 5% ସଂରକ୍ଷଣ; ଭୂମିହୀନଙ୍କୁ ଜମି,ବାସହୀନଙ୍କୁ ପକ୍କା ଘର ଦେବେ ସରକାର
ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪ ମସିହାର ନଭେମ୍ବର ୨ ତାରିଖରେ ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଆଡି ବନ୍ଧ ପାଇଁ ୪୯.୧୫ କୋଟି ଟଙ୍କା ମଞ୍ଜୁରି ହୋଇଛି, ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଛି।
ଅନେକ ଦିନ ପରେ ଲୋକଙ୍କ ଦାବି ପୂରଣ ହେବାକୁ ଯାଉଥିବାରୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ । ଶୁଖିଲା ଅଞ୍ଚଳ ଶସ୍ୟ ଶ୍ୟାମଳା ହେବ, ଲୋକ ଦାଦନ ନ ଯାଇ ଚାଷ କରିବେ, ଅଞ୍ଚଳର ଉନ୍ନତି ହେବ ସେଥିପାଇଁ ଡବଲ ଇଞ୍ଜିନ ସରକାରଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଦେଇଥିବା ବେଳେ ପ୍ରକଳ୍ପ କାମ ଶୀଘ୍ର ସାରିବା ପାଇଁ ଅନୁରୋଧ କରିଛନ୍ତି ।
Related Topics
Explore more stories