ଲକ୍ଷ୍ମଣଙ୍କୁ ଉଦ୍ଧାର କଲେ ହନୁମାନ ଓ ନଳ

ପୁରୀ: ରାମଙ୍କୁ ବୋମା ମାଡ । ଲକ୍ଷ୍ମଣ ସଙ୍କଟାପନ୍ନ । ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କଲେ ହନୁମାନ ଏବଂ ନଳ । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କ ଚାଲିଛି ଚିକିତ୍ସା । ଏ ଦୁଇ ଲାଇନରୁ ବୋଧ ହୁଏ ଆପଣ କିଛି ବୁଝି ପାରୁନଥିବେ । ଏହା ଏକ ସତ ଘଟଣା । ସୋମବାର ରାତିରେ ଏଭଳି ଅଘଟଣ ଘଟିଛି ।
ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ଚାଲିଥିଲା ରାମଲୀଳା । ହନୁମାନ ବନ୍ଧନା ସମୟରେ ମଞ୍ଚ ଉପରକୁ କେହି ଦୂର୍ବୃତ୍ତ ବୋମା ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ । ରାମଙ୍କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣଙ୍କ ଦେବରେ ବାଜିଛି ବୋମା । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ପୁରୀ ପରେ ଭୁବନେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ହନୁମାନ ଏବଂ ନଳ ।
ସେପଟେ ବୋମା ମାଡ ଦେଖି ରାମ ଏବଂ ସୀତା ଭୟଭିତ ହୋଇପଡଛନ୍ତି । ବଳିଆପଣ୍ଡା ଥାନାରେ ସାହାଣୀକେରା ଗ୍ରାମର ମା'ବିନ୍ଧେଶ୍ବରୀ ରାମନାଟ୍ୟ ସଂସଦ ପକ୍ଷରୁ ଦିଆଯାଇଛି ଏତଲା । ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବଳିଆପଣ୍ଡା ଥାନା ପୋଲିସ୍ ।