Videos
|
Odisha

Mahanadi Crocodile Attack / କାମୁଡି ଧରିଥିଲା କୁମ୍ଭୀର; ଦେଢ ଘଣ୍ଟା ସଂଘର୍ଷ ପରେ ଜୀବନ ନେଇ ଫେରିଲେ ଯୁବକ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କାମୁଡି ଧରିଥିଲା କୁମ୍ଭୀର; ଦେଢ ଘଣ୍ଟା ସଂଘର୍ଷ ପରେ ଜୀବନ ନେଇ ଫେରିଲେ ଯୁବକ
Mahanadi River Crocodile Attack

Key Points

ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ
ଦୀର୍ଘ ଦେଢ ଘଣ୍ଟା ପର୍ଯ୍ୟନ୍ତ ସଂଘର୍ଷ
ଶେଷରେ ଜୀବନ ନେଇ ଫେରିଲେ ଯୁବକ

ବୌଦ୍ଧ: ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ । ଦେଢ଼ ଘଣ୍ଟାର ସଂଘର୍ଷ ପରେ କୁମ୍ଭୀର ମୁହଁରୁ ଜୀବନ ନେଇ ଫେରିଲେ ଯୁବକ । ​ଭାଇ ପାଇଁ ଜୀବନକୁ ବାଜିରେ ଲଗାଇଲେ ଭାଇ । ଆଜି (ସୋମବାର) ସକାଳେ ହରଭଙ୍ଗା ବ୍ଲକ ମାରଡ଼ା ଘାଟରେ ଘଟିଛି ଏହି ଭୟଙ୍କର ଘଟଣା । ​ଗୁରୁତର ସୁଧୀର ବେହେରା ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

  • କିପରି କୁମ୍ଭୀର କବଳରେ ପଡ଼ିଲେ ଯୁବକ ?
ହରଭଙ୍ଗା ବ୍ଲକ ମାରଡ଼ା ଗାଁର ସୁଧୀର ବେହେରା ଅପରାହ୍ନ ସମୟରେ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ପୂର୍ବରୁ ଶିକାର ଅପେକ୍ଷାରେ ଥିବା ଏକ ଗୋମୁହାଁ କୁମ୍ଭୀର ହଠାତ୍ ସୁଧୀରଙ୍କ ବାମ ଗୋଡ଼କୁ ଜାବୁଡ଼ି ଧରିଥିଲା । ସୁଧୀର କିଛି ବୁଝିବା ପୂର୍ବରୁ କୁମ୍ଭୀରଟି ତାଙ୍କୁ ପାଣି ଭିତରକୁ ଘୋଷାଡ଼ି ନେଇଥିଲା । ଏହି ସମୟରେ ସୁଧୀରଙ୍କ ହାତରେ ନଦୀ ଭିତରେ ଥିବା ଏକ ଗଛର ଡାଳ ପଡ଼ିଯାଇଥିଲା । ସେ ଗଛକୁ ଜାବୁଡ଼ି ଧରି ଜୀବନ ବଞ୍ଚାଇବା ପାଇଁ ଆକୁଳ ଚିତ୍କାର କରିଥିଲେ ।

  • ଦେଢ ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ସଂଘର୍ଷ
ଦୀର୍ଘ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସୁଧୀର କୁମ୍ଭୀର ମୁହଁରୁ ନିଜକୁ ରକ୍ଷା କରିବା ପାଇଁ ପାଣି ଭିତରେ ଅପ୍ରାଣ ଉଦ୍ୟମ ଜାରି ରଖିଥିଲେ । ମହାନଦୀରେ ଜୀବନ ପାଇଁ ସଂଘର୍ଷ ଚାଲିଥିଲା । କୁମ୍ଭୀର ଯୁବକଙ୍କ ମାରି ନିଜ ପେଟ ଭର୍ତ୍ତି କରିବାକୁ ଉଦ୍ୟମ କରୁଥିବାବେଳେ ଏପଟେ ଯୁବକ ନିଜ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ।

  • ଚିତ୍କାର ଶୁଣି ପହଞ୍ଚିଲା ଭାଇ
​ଭାଇର ଚିତ୍କାର ଶୁଣି ପ୍ରଥମେ ଘଟଣାସ୍ଥଳରେ ଛବିନ୍ଦ୍ର ବେହେରା ପହଞ୍ଚିଥିଲେ । ଭାଇର ଏଭଳି ସଙ୍କଟଜନକ ଅବସ୍ଥା ଦେଖି ସେ ସ୍ଥାନୀୟ ପ୍ରମୋଦ ପ୍ରଧାନଙ୍କୁ ଖବର ଦେଇଥିଲେ । ଏହାପରେ ଦୁଇ ଜଣ ମିଶି ପାଣିରେ ପଶି କୁମ୍ଭୀର ଉପରେ ଆକ୍ରମଣ କରିଥିଲେ । ହେଲେ କୁମ୍ଭୀର ସୁଧୀରଙ୍କୁ ଛାଡିନଥିଲା । ପାଣି ଭିତରେ ପ୍ରାୟ ଦେଢ ଘଣ୍ଟା ସଂଘର୍ଷ ପରେ ସୁଧୀରଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଗୁରୁତର ସୁଧୀରଙ୍କୁ ପ୍ରଥମେ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଗାଡ଼ି ଯୋଗେ ପୁରୁଣାକଟକ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଗୁରୁତର ଆହତ ଥିବା ସୁଧୀରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ ନିଜ ଜୀବନକୁ ବାଜି ଲଗାଇ ଭାଇକୁ ମରଣମୁହଁରୁ ଉଦ୍ଧାର କରିଥିବାରୁ ଛବିନ୍ଦ୍ରଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି । 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: