ଡହ ଡହ ଖରାରେ ଜଗା ଦର୍ଶନ ପାଇଁ ହନ୍ତସନ୍ତ ଭକ୍ତ

ଭୁବନେଶ୍ୱର: ଡହ ଡହ ଖରାରେ ଜଗା ଦର୍ଶନ ପାଇଁ ହନ୍ତସନ୍ତ ଭକ୍ତ । ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଅହଙ୍କାର ଯୋଗୁଁ ବଢୁଛି କଷ୍ଟ । କୋଟି କୋଟି ଟଙ୍କାର ପରିକ୍ରମା ପ୍ରକଳ୍ପ ବି ଦେଇପାରୁନି ଛାଇ । ଚାରିଦ୍ବାର ଖୋଲିଲେ ଯନ୍ତ୍ରଣାରୁ ମିଳନ୍ତା ମୁକ୍ତି । ଆକାଶରୁ ଅଗ୍ନି ବର୍ଷା । ମୁଣ୍ଡ ଝାଇଁ ମାରିଯାଉଛି । ଆଉ ତଳେ ନିଆଁ ଚୁଲି ଭଳି ତାତି ।.. ପାଦ ମାରିଲେ ପୋଡି ଯାଉଛି । ତଥାପି କଷ୍ଟକୁ ଖାତିର୍ ନକରି ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଗ୍ରୀଷ୍ଣ ପ୍ରବାହ ବଢୁଥିବାବେଳେ ପ୍ରବଳ ଖରାରେ 300 ମିଟର ଚାଲି ଚାଲି ଯିବାକୁ ପଡୁଛି । ପାଦରେ ଫୋଟକା ହୋଇଯାଉଛି । ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ଜିଦ୍ ଆଉ ଅହଙ୍କାର୍ ଛାଡିବାକୁ ନଛୋଡବନ୍ଧା । ଚାରିଦ୍ବାର ନଖୋଲି ଭକ୍ତଙ୍କୁ କଲବଲ କରୁଛନ୍ତି ରାଜ୍ୟ ସରକାର । ସେପଟେ ସିଂହଦ୍ବାର ସମ୍ମୁଖ ଓ ବ୍ୟାରିକେଡ୍ ମଧ୍ୟରେ ପ୍ରତିଦିନ 15 ହଜାର ଲିଟର ପାଣି ସିଞ୍ଚନ କରାଯାଉଛି ।
ଯାହାକୁ ପାଣିର ଅପଚୟ ହେଉଥିବା କହି କ୍ଷୋଭ ପ୍ରକାଶ ସହ ଆଗାମୀ ଦିନରେ ଘୋର ଜଳ ସଙ୍କଟ ଦେଖାଯିବ କହିଛନ୍ତି ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର । ଅନ୍ୟପଟେ ଭକ୍ତଙ୍କ ସୁବିଧା ଓ ସହଜ ଦର୍ଶନ କରାଇବାରେ ରାଜ୍ୟ ସରକାର ଫେଲ୍ ମାରିଥିବା କହି ବର୍ଷିଛନ୍ତି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ । ଅନ୍ୟପକ୍ଷରେ କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀର 75 ମିଟର ପରିଧି ମଧ୍ୟରୁ ଘର, ମଠ, ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇ ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ କରାଗଲା ।. ମୁଖ୍ୟମନ୍ତ୍ରୀ ଏହାକୁ ଶୁଭ ଉଦଘାଟନ ମଧ୍ୟ କଲେ । କିନ୍ତୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ପ୍ରକଳ୍ପ ମଧ୍ୟରେ କୌଣସି ବ୍ୟବସ୍ଥା କଲେନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ସେପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ।. ସେପଟେ ପରିକ୍ରମା ପ୍ରକଳ୍ପ ମଧ୍ୟରେ ଖରାରୁ ତ୍ରାହି ପାଇଁ ନାହିଁ କୌଣସି ବ୍ୟବସ୍ଥା । ପ୍ରକଳ୍ପ କାହା ସ୍ବାର୍ଥରେ ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ତୁରନ୍ତ ଚାରିଦୁଆର ଖୋଲିବାକୁ ଦାବି ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର