ବାହାଘର ଭୋଜିରୁ ଫେରିବା ବେଳେ କୁହୁଡ଼ି କଲା ବାଟବଣା; ଗଛରେ କାର ପିଟି ହୋଇ ଜଣଙ୍କ ମୃତ୍ୟୁ

Key Points
ପୁରୀ ବାଇପାସରେ ଦୁର୍ଘଟଣା
ଗଛରେ ପିଟି ହେଲା କାର
ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର
ଭୁବନେଶ୍ଵର: କୁହୁଡ଼ି ସାଜିଲା କାଳ । ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ପୁରୀ ବାଇପାସରେ ଘନ କୁହୁଡି ଯୋଗୁଁ ଏକ କାର ଗଛରେ ପିଟିହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାହାଘର ଭୋଜି ଖାଇ ୫ ଜଣ ଏକ କାରରେ ଫେରୁଥିଲେ । ଘନ କୁହୁଡ଼ି ଥିବା ବେଳେ କାରଟି ପୁରୀ ବାଇପାସ ନିକଟରେ ଦ୍ରୁତ ଗତିରେ ଆସି ଏକ ଗଛରେ ପିଟି ହୋଇ ଯାଇଥିଲା । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
📱 Get Argus News App
✨ଦୁର୍ଘଟଣାରେ କାରର ଡ୍ରାଇଭର ସୁନୀଲ ସ୍ଵାଇଁ ଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ଧଉଳି ଥାନା ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ କଟକ ବଡ଼ ମେଡିକାଲ ପଠାଇଥିଲା ।
ଅନ୍ୟପଟେ ଜନପଥରେ ରାମ ମନ୍ଦିର ଟ୍ରାଫିକ ପୋଷ୍ଟ ନିକଟରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି । ଭାରସାମ୍ୟ ହରାଇ ପାଣି ଟ୍ୟାଙ୍କର ଓଲଟିବାରୁ ହେଲପର ଓ ଡ୍ରାଇଭର ଆହତ ହୋଇଛନ୍ତି । ଉଭୟଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।