ଓଡ଼ିଶାର ପୋଷ୍ଟାଲ୍ ଦୁର୍ନୀତି ନେଇ ଦ୍ୱିତୀୟ ଦିନରେ ସିବିଆଇର ତନାଘନା

ଭୁବନେଶ୍ୱର: ଓଡ଼ିଶାର ପୋଷ୍ଟାଲ୍ ଦୁର୍ନୀତି ନେଇ ଦ୍ୱିତୀୟ ଦିନରେ ସିବିଆଇର ତନାଘନା। ଗତକାଲି ଘଟଣାରେ ୬୭ ଟି ସ୍ଥାନରେ ରେଡ୍ କରିଥିଲା ସିବିଆଇ। ଆଜି ମଧ୍ୟ କିଛି ସ୍ଥାନରେ ଚଢ଼ାଉ ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ । ଜେରା ବେଳେ ସାମ୍ନାକୁ ଆସିଛି କିଛି ଚାଞ୍ଚଲ୍ୟକର ତଥ୍ୟ। ଗ୍ରାମୀଣ ଡାକ ସେବକ ପରୀକ୍ଷାର ୬୩ ଜଣ ପରୀକ୍ଷାର୍ଥୀ ଏବଂ ଡାକ ବିଭାଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ସିବିଆଇ। ପୋଷ୍ଟାଲ ସେବା ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମଯୂରଭଞ୍ଜ, ବାଲେଶ୍ବର, ଭଦ୍ରକର ବିଭିନ୍ନ ସ୍ଥାନରେ ରେଡ୍ ବଳବତ୍ତର ରହିଛି ।
୨୦୨୩ରେ ୧ ହଜାର ୩୮୨ଟି ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। କେବଳ ଦଶମ ମାର୍କ ଆଧାରରେ ଚାକିରି ମିଳିବାର ନିୟମ ଥିଲା। ଜାଲ୍ ସାର୍ଟିଫିକେଟ ଦେଇ ଅନେକ ପିଲା ଏହି ଚାକିରି ପାଇଥିବାର ହୋଇଥିଲା ଅଭିଯୋଗ। ଅନେକ ପିଲା ରାଜ୍ଯ ବାହାରୁ ଜାଲ୍ ସାର୍ଟିଫିକେଟ ଆଣି ଏହି ଚାକିରି ପାଇଛନ୍ତି। ୨୦୨୩ ମେ’ ୯ ତାରିଖରେ ସିବିଆଇ ମାମଲା ରୁଜୁ କରିଥିଲା। ସାର୍ଟିଫିକେଟ ଯାଞ୍ଚ ବେଳେ ଦେଖା ଯାଇଥିଲା, ଅନେକ ପିଲା ରାଜ୍ଯ ବାହାରର ବିଭିନ୍ନ ବୋର୍ଡରୁ ଜାଲ୍ ସାର୍ଟିଫିକେଟ ଆଣିଛନ୍ତି। ପଶ୍ଚିମବଙ୍ଗ, କୋଲକାତା, ଝାଡ଼ଖଣ୍ଡ, ରାଞ୍ଚି, ଆଲାହାବାଦ ଏପରି ଅନେକ ସ୍ଥାନରୁ ସେମାନେ ଜାଲ୍ ସାର୍ଟିଫିକେଟ ଆଣି ଧରା ପଡ଼ିଥିଲେ। ଆବଶ୍ୟକସ୍ଥଳେ ତଦନ୍ତକୁ ଆହୁରି ବ୍ୟାପକ କରାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର