ପୋଲଭରମର ପଛୁଆ ଜଳ ପ୍ରଭାବ ରୋକିବାକୁ କେନ୍ଦ୍ରର ବଡ଼ ଯୋଜନା

ଅର୍ଗସ ବ୍ୟୁରୋ: ପୋଲାଭରମ ପ୍ରକଳ୍ପର ପଛୁଆ ଜଳ ପ୍ରଭାଵକୁ ରୋକିବା ପାଇଁ ବଡ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାରେ ପ୍ରାୟ ୩୦.୨୦ କିଲୋମିଟର ନଦୀବନ୍ଧ ନିର୍ମାଣ ନେଇ ରହିଛି ପ୍ରସ୍ତାବ। ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ। ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ନଦୀ ଉପରେ ୧୨ କିଲୋମିଟର ଏବଂ ସାବେରୀ ନଦୀ ଉପରେ ୧୮.୨୦ କିଲୋମିଟର ନଦୀ ବନ୍ଧ ନିର୍ମାଣ ପାଇଁ ଯୋଜନା ରହିଛି ପ୍ରସ୍ତାବିତ। ଏହି ପ୍ରସ୍ତବ ସହ ଓଡ଼ିଶା ସରକାର ଙ୍କ ପାଖରେ ରହିଛି ଦୁଇଟି ବିକଳ୍ପ। ସୁରକ୍ଷା ନଦୀ ବନ୍ଧ ନିର୍ମାଣ କିମ୍ଵା ଳୋକଙ୍କୁ ଥଇଥାନ ଓ ପୁନର୍ବାସ ପାଇଁ କ୍ଷୟକ୍ଷତି। କେନ୍ଦ୍ରର ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ମାଲକାନଗିରି ବାସୀ।
୨୦୦୯ ରେ କେନ୍ଦ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ ସମିତି ଆଡ଼ିବନ୍ଧ ନିର୍ମାଣ ନେଇ ଜନ ଶୁଣାଣି କରିବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା। କିନ୍ତୁ ତତକାଳୀନ ବିଜେଡି ସରକାର ଜନଶୁଣାଣି ନକରି ଚୁପ୍ ବସିଲେ ବୋଲି ଉତ୍ତରରେ କହିଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ। କ୍ଷମତାରେ ଥିବା ବେଳେ ଚୁପ୍ ରହିଲା ଆଉ ଏବେ ହାତରୁ କ୍ଷମତା ଯିବା ପରେ ପୋଲାଭରମକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜୁ ଜନତା ଦଳ। ୨୦୧୪ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ନବୀନଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ କହିବାରୁ ତାଙ୍କ ବ୍ୟକ୍ତିଗତ ସଚିବ ଏହାକୁ ଲଷ୍ଟ କେଶ ବୋଲି କହି ଆଡେଇ ଯାଇଥିଲେ। ଏପରିକି ୨୦୧୭ ରେ ମହାନଦୀ ପାଇଁ ଉଚ୍ଚସ୍ତରୀୟ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଜଳ ସମସ୍ୟାର ସମାଧାନ ପାଇଁ ଆପୋଷ ବୁଝାମଣା ଲାଗି କହିଥିଲେ ସେତେବେଳେ ନବୀନ ଚୁପ ରହିଥିଲେ। ଆଉ ଓଡ଼ିଶା ଫେରିବା ପରେ ତାଙ୍କ ସ୍ବର ବଦଳି ଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ବଳଭଦ୍ର ମାଝି।
ସର୍ବେକ୍ଷଣ ଅନୁସାରେ ପୋଲାଭରମ୍ ଯୋଗୁଁ ଓଡ଼ିଶାରେ ପ୍ରାୟ ୬୪୮.୦୫ ହେକ୍ଟର ଏବଂ ଛତିଶଗଡ଼ ରେ ୭୯୫.୫୯ ହେକ୍ଟର ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହି ଅଂଚଳ ସିଲେରୁ ଏବଂ ସାବେରୀ ନଦୀ ବନ୍ୟା ଅଞ୍ଚଳ ପରିସୀମା ମଧ୍ୟରେ ଆସୁଛି। ତେଣୁ ଆଡ଼ି ବନ୍ଧ ନିର୍ମାଣ ହେଉ କିମ୍ବା ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରି ଅନ୍ୟକୁ ଥଇଥାନ। ପୋଲାଭରମର ନେଗେଟିଭ୍ ପ୍ରଭାବରୁ ମାଲକାନଗିରିବାସୀଙ୍କୁ ବଞ୍ଚାଇବା ଏବେ ଓଡ଼ିଶା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର