ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ...

ବ୍ରହ୍ମପୁର: ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ । ଦୁନିଆ ଦେଖି ନାହାନ୍ତି ସତ, ହେଲେ ଆଜିକାଲିକା ଦୁନିଆରେ କେମିତି ସ୍ୱାବଲମ୍ବୀ ହେବାକୁ ହୁଏ ସେ କଥା ବେଶ ଭଲ ଭାବରେ ଜାଣିଛନ୍ତି । ଗାଁ ଗାଁ ବୁଲି ଧୂପକାଠି ବିକ୍ରି କରୁଛନ୍ତି ଦୃଷ୍ଟିହୀନ ମେଧାବୀ ଛାତ୍ର । ନିଜର ଅଦମ୍ୟ ଇଚ୍ଛାଶକ୍ତି ଥିଲେ କିଛି ବି ସମ୍ଭବ । ଦିବ୍ୟାଙ୍ଗ ହେଲେ ବି ସକ୍ଷମ ବୋଲି ପ୍ରମାଣ କରିଛନ୍ତି ସାନଖେମୁଣ୍ଡି ବ୍ଳକ ମୌଲଭଣଜା ପଞ୍ଚାୟତ ଖୁଲଢ଼ି ଗ୍ରାମର ଦୃଷ୍ଟିବାଧିତ ଏମ୍,ଚନ୍ଦନ ଦୋରା । ସେ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛତି ସତ, କିନ୍ତୁ ଜଣେ ସାଧାରଣ ବ୍ୟକ୍ତିଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ।
ସେ ଜଣେ ମେଧାବୀ ଛାତ୍ର । ବ୍ରହ୍ମପୁର ଆମ୍ବପୁଆ ରେଡ୍କ୍ରସ୍ ସ୍କୁଲ ଫର ବୃଇଣ୍ଡରେ ପାଠ ପଢି ଦଶମ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ରଖିଥିଲେ । ଭୁବନେଶ୍ବର ବିଜେବି ଜୁନିୟର କଲେଜରେ ଯୁକ୍ତ ୨ ପଢ଼ିବା ପରେ ଫିଜିଓଥେରପି ସ୍କୁଲ୍ ଫର ବ୍ଲାଇଣ୍ଡ ଅହମ୍ମଦାବାଦ ଠାରେ ଅଧୟନ ମଧ୍ୟ କରିଛନ୍ତି । ସେଠାରେ କିଛି ମାସ ଘରୋଇ କ୍ଲିନିକ୍ରେ କାମ କରିବା ପରେ ସାନ ଭାଇର ମୃତ୍ୟୁ ପରେ ବାପା ମାଆଙ୍କ ସାହାର ପାଇଁ ଗାଁକୁ ଫେରିଆସିଛନ୍ତି । ଆଉ ସେବେଠୁ ଅନ୍ଲାଇନ୍ରୁ ଧୂପକାଠି ପ୍ରସ୍ତୁତି ଜ୍ଞାନ କୌଶଳ ଜାଣିବା ପରେ ଘରେ ଧୂପକାଠି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି । ଗାଁ ଗାଁ ରେ ବୁଲି ହାତ ତିଆରି ଆଗରବତୀ ବିକ୍ରି କରି ପରିବାର ଚଳାଉଛନ୍ତି ।
ଚନ୍ଦନ ଘରେ ଧୂପକାଠି ପ୍ରସ୍ତୁତ କରନ୍ତି । ଏହା ପରେ ସେହି ଧୂପକାଠିକୁ ପ୍ୟାକେଟ କରିବା ପାଇଁ ଦୁଇ ମହିଳାଙ୍କୁ ନିୟୋଜିତ କରିଛନ୍ତି । ପ୍ୟାକିଂ ହେବା ପରେ ଠେଲା ଗାଡ଼ିରେ ସାମଗ୍ରୀ ରଖି ଗଡ଼ାଇ ଗଡ଼ାଇ ଗାଁ ଗାଁ ବୁଲି ବିକ୍ରି କରନ୍ତି । ଆଉ ବିକ୍ରି କରିବା ସମୟରେ କେଉଁଠି ରାତି ହୋଇଗଲେ କୋଠାଘର, ମନ୍ଦିର, ବିଦ୍ୟାଳୟ ବାରଣ୍ଡାରେ ରାତ୍ରି ଯାପନ କରନ୍ତି । ସେହି ଚକଲଗା ଗାଡ଼ିରେ ତାଙ୍କର ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରହିଥାଏ । ତେବେ ଚନ୍ଦନଙ୍କ ଠାରୁ ସମସ୍ତେ ଅତି ଆଦରର ସହିତ ଧୂପକାଠି କିଣିନିଅନ୍ତି । ସେପଟେ ଧୂପକାଠି ୟୁନିଟ ବୃଦ୍ଧି ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେଇବାକୁ ଅନୁରୋଧ କରିଛନ୍ତି ଚନ୍ଦନ ।
📱 Get Argus News App
✨ଚେଷ୍ଟା କଲେ କିଛି ବି ସମ୍ଭବ । ଅନ୍ୟମାନଙ୍କ ପରି ଭିକ ନ ମାଗି ନିଜେ କିଛି କରି ଦେଖାଇ ଅନ୍ୟ ଦୃଷ୍ଟିବାଧିତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଚନ୍ଦନ ।
ଆହୁରି ପଢନ୍ତୁ ଓଡିଶା ଖବର...