Videos
|
Odisha

Niladri Bije / ଆଜି ରତ୍ନସିଂହାସନରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆଜି ରତ୍ନସିଂହାସନରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
Niladrebije

Key Points

ଆଜି ନୀଳାଦ୍ରୀ ବିଜେ
ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ
୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି
ପୁରୀ, ୨୭/୦୭: ଆଜି ନୀଳାଦ୍ରୀ ବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆ ସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ । ଏହି ଅବସରରେ ରତ୍ନସିଂହାସନରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅସଂଖ୍ୟ ଭକ୍ତଙ୍କୁ ଛାଡ଼ି ଭଗବାନ ବଡ଼ଦେଉଳକୁ ଫେରିଯିବେ । ସିଂହଦ୍ୱାରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୪ଟାରୁ ଠାକୁରଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ । ସପ୍ତମୂର୍ତ୍ତି ଗୋଟି ପହଣ୍ଡିରେ ଯାଇ ନିଜ ନିଜ ଆସ୍ଥାନରେ ବିଜେ ହେବେ ।

ଠାକୁରଙ୍କ ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ । ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ପହଣ୍ଡି ପ୍ରସ୍ତୁତି ହେବ । ରଥରେ ଚାରମାଳ ବନ୍ଧା ହେବ । ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିବ । ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ । ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ । ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ । ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳା ଦେଖି ଧନ୍ୟ ହେବେ ହଜାର ହଜାର ଭକ୍ତ।

ପଢନ୍ତୁ ଏହି ଖବର: ଅଧରପଣା ନୀତି ପଛରେ କଣ ରହିଛି ରହସ୍ୟ, କେତେଦିନ ହୁଏ ଅଧରପଣା ନୀତି ?

ଗତକାଲି ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଅର୍ପଣ କରାଯାଇଛି । ତିନି ରଥରେ ଦାରୁବ୍ରହ୍ମଙ୍କ ଅଧର ଉଚ୍ଚା ୯ଟି ମାଟି ହାଣ୍ଡିରେ ପଣା ଭୋଗ ଲାଗିଥିଲା । ଏଥିସହ ରାମକୃଷ୍ଣଙ୍କୁ ୨ ହାଣ୍ଡି ଓ ମଦନମୋହନଙ୍କୁ ୧ ମାଟି ହାଣ୍ଡି (ବଡ଼ ମଠ କୁଡ଼ୁଆ)ରେ ପଣା ଭୋଗ ଅର୍ପଣ ଲାଗିଲା । ପରେ ସମସ୍ତ ହାଣ୍ଡିକୁ ଗଡ଼ାଇ ଭାଙ୍ଗି ଦିଆଯାଇଥିଲା । ରାତି ୯ଟା ୧୫ରୁ ୯ଟା ୪୦ ମଧ୍ୟରେ ତିନି ରଥରେ ଅଧର ହାଣ୍ଡି ଭଙ୍ଗା ନୀତି ସମ୍ପନ୍ନ ହୋଇଥିଲା । ରଥର ପାଶ୍ୱ ର୍ଦେବଦେବୀ, ଚଣ୍ଡୀଚାମୁଣ୍ଡା ତଥା ଅଶରୀରଙ୍କ ପାଇଁ ଅଧର ହାଣ୍ଡିଗୁଡ଼ିକୁ ଭଙ୍ଗା ଯାଏ । ଠାକୁରଙ୍କ ପଣା ଭୋଗ ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored