Adharapana Niti / ଅଧରପଣା ନୀତି ପଛରେ କଣ ରହିଛି ରହସ୍ୟ, କେତେଦିନ ହୁଏ ଅଧରପଣା ନୀତି ?

Key Points
ପୂର୍ବରୁ ୩ ଦିନ ହେଉଥିଲା ଅଧରପଣା ନୀତି ।
୪୫୦ ବର୍ଷ ପୁରୁଣା ଅଧରପଣା ପରମ୍ପରା ।
କାହିଁକି ରଥ ଉପରେ ଭଙ୍ଗାଯାଏ ପଣାହାଣ୍ଡି ?
ପୂର୍ବରୁ କେତେଦିନ ହୁଏ ଅଧରପଣା ନୀତି ? କେତେବର୍ଷ ପୁରୁଣା ଏହି ପରମ୍ପରା ? ଅଧରପଣା ନୀତି ପଛର ରହସ୍ୟ କଣ ? ଏମିତି ଅନେକ କିଛି ପ୍ରଶ୍ନ ମନରେ ଆସିଥାଏ ।
୯ ଦିନ ଯାତ୍ରା ପରେ ଶ୍ରୀମନ୍ଦିର ବାହୁଡିଲେ ମହାପ୍ରଭୁ । ଗତକାଲି ହୋଇଥିଲା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ । ଆଉ ପରମ୍ପରା ଅନୁଯାୟୀ ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ମାଟିହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇ ନୀତି ଅନୁଷ୍ଠିତ ହୁଏ । ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚତାର ପ୍ରସ୍ତୁତ ହୋଇଥିବା ଏହି ମାଟିହାଣ୍ଡିରେ ପଣା ତିଆରି ହୋଇ ପ୍ରଥମେ ଭୋଗ କରାଯାଏ । ଆଉ ତାପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।
କିନ୍ତୁ ଆପଣ ଜାଣିଛନ୍ତି ପୂର୍ବରୁ ଏହି ନୀତି ୩ ଦିନ ହେବାର ବିଧି ଥିଲା । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ, ବାହୁଡା ଦିନ ରଥ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଏହି ନୀତି ହୋଇଥାଏ । ବାହୁଡା ଦିନ ତିନି ହାଣ୍ଡି, ଏକାଦଶୀ ଦିନ ୩ ହାଣ୍ଡି, ଦ୍ଵାଦଶୀ ଦିନ ୩ ହାଣ୍ଡି ଏହିପରି ୯ ହାଣ୍ଡି ଅଧରପଣା ହୋଇଥାଏ । ଏଥିସହ ୩ ହାଣ୍ଡି ମଧ୍ୟ ଆସିଥାଏ । ସମୁଦାୟ ୧୨ ହାଣ୍ଡି ଅଧରପଣା ଭୋଗ କରାଯାଏ ।
ହେଲେ ବର୍ତ୍ତମାନ ସମୟ ଅଭାବରୁ ଏକାଦଶୀରେ ନହୋଇ କେବଳ ଦ୍ଵାଦଶୀ ତିଥିରେ ଅଧରପଣା ନୀତି କରାଯାଉଛି । ଏଥିସହ ୧୨ ପରିବର୍ତ୍ତେ ୯ ହାଣ୍ଡି ଅଧର ପଣା ଭୋଗ ହୋଇଥାଏ । ପ୍ରତି ରଥରେ ୩ଟି ଅଧରପଣା ହାଣ୍ଡି ଥାଏ ।
ତେବେ ଏହି ପରମ୍ପରା ୪୫୦ ବର୍ଷ ତଳର ପୁରାତନ ପରମ୍ପରା ବୋଲି କୁହାଯାଉଛି । ୧୯୮୩ ମସିହାରେ ଅଧରପଣା ପାଇଁ ହୁକୁମ୍ନାମା ଜାରି ହୋଇଥିଲା । ହେଲେ ଏନେଇ ନିର୍ଦ୍ଦିଷ ବିବରଣୀ କାହା ପାଖରେ ନାହିଁ ।
ଏହି ଅଧରପଣା ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଡି ପ୍ରସ୍ତୁତ ହୋଇଥାଏ ଏହି ପଣା । ପୂର୍ବରୁ ଅଧରପଣା ପାଇଁ ଜଳ ରାଧାବଲ୍ଲଭ ମଠ କୂଅରୁ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ଵାର ଛାଉଣି ମଠ ସମ୍ମୁଖ କୁଅରୁ ଜଳ ଅଣାଯାଇଥାଏ । ରଥଯାତ୍ରା ଶେଷଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ଡି ସ୍ପର୍ଶ କରି ଏହାକୁ ଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଉଦ୍ଧାର କରିଥାନ୍ତି ।
📱 Get Argus News App
✨Related Topics
Explore more stories