ଦ୍ଵିତୀୟ ଭଗବାନ ସାଜିଛନ୍ତି ଠକ୍

ଅର୍ଗସ ବ୍ୟୁରୋ : ଡାକ୍ତର ଦିଅନ୍ତି ପୁନର୍ଜନ୍ମ, ସେଇଥିପାଇଁ ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ । ଜୀବନ ବଞ୍ଚାଉ ଥିବାରୁ ଡାକ୍ତରଙ୍କ ଉପରେ ସମସ୍ତଙ୍କ ବିଶ୍ବାସ ଓ ଭରସା ରହିଥାଏ । ଡାକ୍ତର ଯାହା କହନ୍ତି ତାହା ସହଜରେ ସମସ୍ତେ ଗ୍ରହଣ କରି ନିଅନ୍ତି । କିନ୍ତୁ ଏଠାରେ ଡାକ୍ତରଙ୍କ ଉପରେ ବିଶ୍ବାସ କରି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି ଲୋକେ । ଏ ହେଉଛି ହରିଚନ୍ଦନପୁର ବ୍ଲକରେ ଥିବା ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଏଠାରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ଡାକ୍ତର କୈଳାସ ନାଏକ । ଯାହାଙ୍କ ନାମରେ ରହିଛି ସଙ୍ଗିନ ଅଭିଯୋଗ । ମାସକରେ ଟଙ୍କା ଡବଲ୍ ହେବ କହି ଲୋକଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଛନ୍ତି ।
ଏହି ଡାକ୍ତରଙ୍କ ପାଖକୁ ଗଲେ ସେ ପ୍ରଥମେ ଚିକିତ୍ସା ନକରି ବଡ ଲୋକ ହେବା ଲୋଭ ଦେଖାନ୍ତି । ଗୋଟିଏ ମାସରେ ଟଙ୍କା ଦୁଇଗୁଣ ହେଇଯିବାର ସ୍ବପ୍ନ ମଧ୍ୟ ଦେଖାନ୍ତି । ପରେ ନିରୀହ ଲୋକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନିଜ ଆକାଉଣ୍ଟ୍ ନମ୍ବର କିମ୍ବା ଫୋନ୍ ପେ ରେ ଲୁଟି ନିଅନ୍ତି । ଏହିଭଳି ଘଟଣା କେବଳ ଜଣଙ୍କ ଠାରୁ ନୁହେଁ ଶହଶହ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି ।
📱 Get Argus News App
✨ଘଟଣାର ସତ୍ୟତା ପ୍ରମାଣ ସହ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇ ପାରିନି କୌଣସି କାର୍ଯ୍ୟନୁଷ୍ଠାନ । ଅଭିଯୋଗ ପତ୍ର ଧରି ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଥିଲେ ମଧ୍ୟ ଅଭିଯୋଗ ପତ୍ର ରଖିବାକୁ ପୋଲିସ ବିଭାଗ ପ୍ରଥମେ କୁଣ୍ଠାବୋଧ କରିଥିଲେ । ଅଭିଯୋଗକାରୀ ହାରାସ୍ ନହୋଇ ନ୍ୟାୟ ଆଶାରେ ଜିଲ୍ଲା କୋର୍ଟରୁ ଆରମ୍ଭ କରି ଶେଷରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟଙ୍କ ନୋଟିସ୍ ପରେ ଡାକ୍ତରଙ୍କ ବିରୋଧରେ ଥାନାରେ ରୁଜ୍ଜୁ ହୋଇଛି ମାମଲା ।
ଡାକ୍ତରଙ୍କ ବିରୋଧରେ ଲାଗିଛି ୪୨୦ ଧାରା ଭଳି ସଙ୍ଗୀନ ଧାରା । ଶହ ଶହ ନିରିହ ଲୋକଙ୍କ ସରଳତାର ସୁଯୋଗ ନେଇ ଠକେଇ କରିଛନ୍ତି ଏହି ଡ଼ାକ୍ତର । ଡାକ୍ତରଙ୍କ କଥାରେ ବିଶ୍ବାସ କରି ଅନେକ ପରିବାର ହୋଇଛନ୍ତି ସର୍ବସ୍ବାନ୍ତ । ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ଆନ୍ତ କେବେହେବ । ନିରିହ ଲୋକଙ୍କ ଝାଳବୁହା ଟଙ୍କାକୁ ନେଇ କେବେ ବନ୍ଦ ହେବ ଚିଟଫଣ୍ଡ କାରବାର । ଦ୍ବିତୀୟ ଭଗବାନ ବୋଲି କୁହାଯାଉଥିବା ଡାକ୍ତରଙ୍କ ଏଭଳି ଚିଟଫଣ୍ଡ କାରବାର ଉପରେ ପ୍ରଶାସନ ଜାଣି ମଧ୍ୟ ଚୁପ୍ ରହିବ ନା ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ।