ଧରଣୀଧର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି।
2023 ଫେବୃଆରୀରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବ ବିଦ୍ୟାଳୟ ଭାବେ ଉନ୍ନୀତ ହୋଇଛି । ଏହି ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ଜିଲ୍ଲାର ୩୮ଟି କଲେଜ ଅନୁବନ୍ଧିତ ରହିଛି । କିନ୍ତୁ ବିଶ୍ବବିଦ୍ୟାଳୟ ଭାବେ ଯେଉଁସବୁ ମୌଳିକ ସୁବିଧା ସୁଯୋଗ ଓ ଉନ୍ନତି ହେବା କଥା, ତାହା ଅଦ୍ୟାବଧି ହୋଇପାରିନାହିଁ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ରହିଛି, ତାକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂପୃକ୍ତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂତନଭାବେ ନିର୍ମିତ ହୋଇଥିବା ବିଶ୍ବବିଦ୍ୟାଳୟର ସାଉଥ ବ୍ଲକର ଆସବାବପତ୍ର ପାଇଁ ଏବଂ ନର୍ଥ ବ୍ଲକ୍ର ନବୀକରଣ ପାଇଁ ଆବଶ୍ୟକୀୟ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ (DMF) ଏବଂ ଓଡିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC) ପାଣ୍ଠିରୁ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବୀକରଣ ନିହାତି ଆବଶ୍ୟକ ନ ଥିଲେ, ପୁରାତନ କୋଠାକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ କାମ ପାଇଁ ଏକ ବିଶ୍ବସ୍ତରୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ନବୀକରଣ ପାଇଁ ଆବଶ୍ୟକ ହେଉଥିବା ଜମି ପାଇଁ ଜବରଦଖଲ ହଟାଇବା ସହ ସେମାନଙ୍କର ଥଇଥାନ ବ୍ୟବସ୍ଥାକୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ନିର୍ମାଣଧୀନ ସାଉଥ ବ୍ଲକ୍ର ସମସ୍ତ କାର୍ଯ୍ୟ ବିଶ୍ବସ୍ତରୀୟ କରିବା ପାଇଁ ଶ୍ରୀ ମାଝୀ ଇଡ୍କୋକୁ ନିର୍ଦ୍ଦେଶ ଦେଇଥିଲେ।
📱 Get Argus News App
✨ଛାତ୍ରାବାସ ଗୁଡିକ ବହୁତ ପୁରୁଣା ହୋଇ ଶୋଚନୀୟ ଅବସ୍ଥାରେ ରହିଛି। ତେଣୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬ ମହଲା ବିଶିଷ୍ଟ ୬ଟି ହଷ୍ଟେଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶ୍ବବିଦ୍ୟାଳୟ ପାଇଁ ଯଥାଶୀଘ୍ର ପରୀକ୍ଷା ନିୟନ୍ତ୍ରକ, ରେଜିଷ୍ଟ୍ରାର୍ ଓ ବିତ୍ତ ନିୟନ୍ତ୍ରକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଭବିଷ୍ୟତକୁ ଆଖି ଆଗରେ ରଖି ବିଶ୍ବବିଦ୍ୟାଳୟ ପାଇଁ ଅଧିକ ଜମି ବନ୍ଦୋବସ୍ତ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ କହିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର