ମଦରେ ସମୁଦି ମୂଳ ମିଶାଇ କରାଯାଉଥିଲା ବିକ୍ରି ?

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ 14 ଜଣ ଅସୁସ୍ଥ ହେବା ଏବଂ ପରେ ସେମାନଙ୍କ ଭିତରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହେବା ପରେ ମାମଲାକୁ ନେଇ ରାଜ୍ୟ ତମାମ ଚର୍ଚ୍ଚା। ୟାରି ଭିତରେ ଚିକିଟିରେ ମଦ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଲୋକଙ୍କ ଜୀବନ ସହ ଖେଳୁଥିଲେ ଅସାଧୁ ବ୍ୟବସାୟୀ। ମଦରେ ସମୁଦି ମୂଳ ମିଶାଇ ବିକ୍ରି କରାଯାଉଥିଲା। ଯାହାର ସୁରାଗ୍ ଲାଗିଛି ଏବେ ପୋଲିସ ହାତରେ। ଏହି ଚେରମୂଳିର ବ୍ୟବହାର ମଦକୁ ବିଷାକ୍ତ କରୁଥିବାର ଅଭିଯୋଗ ହୋଇଥିବା ବେଳେ ଏହାର ପ୍ରମାଣ ଯୋଗାଡ଼ ଜାରି ରହିଛି।
ପୂର୍ବରୁ ଲ୍ୟାବ୍ ପଠା ଯାଇଥିବା ମଦ ସାମ୍ପୁଲରେ ମିଥାନଲ କି ୟୁରିଆର ସୂରାଗ୍ ନ ମିଳିବା ପରେ ମଦରେ ଅସାଧୁ ବ୍ୟବସାୟୀ କଣ ମିଶଉଥିଲେ ତାକୁ ନେଇ ଦ୍ବନ୍ଦ୍ବରେ ଥିଲା ପୋଲିସ। ଆଉ ଏବେ ପୋଲିସ ହାତରେ ଏହି ସମୁଦି ମୂଳ ଲାଗିବା ପରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏହାକୁ ଲ୍ୟାବ ଟେଷ୍ଟିଂ ପାଇଁ ପଠାଯାଇଥିବାର ଏସପି ସୂଚନା ଦେଇଛନ୍ତି। ସେପଟେ ମଦରେ ବିଷାକ୍ତ ଦ୍ରବ୍ୟର ଅପମିଶ୍ରଣ ଯୋଗୁ ହୋଇଥିବା ବିଷକ୍ରିୟାରୁ ହିଁ ଲୋକଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ବଡ଼ ମେଡିକାଲର FMT ମୁଖ୍ୟ।
କଣ ଏହି ସମୁଦି ମୂଳ ? ଏହାକୁ ମଦରେ ଅପମିଶ୍ରିତ ପାଇଁ କରାଯାଉଥିଲା କି ବ୍ୟବହାର ? ଏହାର ପ୍ରମାଣ ଗୋଟାଇବାକୁ ତଦନ୍ତ ଜାରି ରଖିଛି ପୋଲିସ। ଏହି ଚେରମୂଳି ସମ୍ବନ୍ଧରେ ପୋଲିସ ପାଖରେ ଅଧିକ ତଥ୍ୟ ନଥିବା ବେଳେ ଏବେ ଲ୍ୟାବ୍ ରିପୋର୍ଟକୁ ହିଁ ଅପେକ୍ଷା ରହିଛି। ସେପଟେ ଏହାକୁ ନେଇ ଆୟୁର୍ବେଦିକ ଡାକ୍ତର ସାଗର ରଞ୍ଜନଙ୍କ ପ୍ରତିକ୍ରିୟା ଟିକେ ଶୁଣି ନିଅନ୍ତୁ।
ଚିକିଟି ମଦ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କ ଉପରେ ଶୂନ୍ୟ ସହନଶୀଳନୀତି ଆପଣାଇଛନ୍ତି ମୋହନ ସରକାର। ବେଆଇନ ମଦ ପ୍ରସ୍ତୁତକାରୀ ଠିକଣାକୁ ନଷ୍ଟ କରାଯାଉଥିବା ବେଳେ ପୋଚ ନଷ୍ଟ ସହ ବେଆଇନ ମଦ ବ୍ୟବସାୟ ରୋକିବାକୁ ଉଦ୍ୟମ ଜାରି ରଖିଛି ଅବକାରୀ ବିଭାଗ। ଚିକିଟି ମଦ ମୃତ୍ୟୁ ମାମଲାରେ ଏ ପର୍ଯ୍ୟନ୍ତ 10 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିପାରେ।
📱 Get Argus News App
✨ଚିକିଟି ମଦ ମୃତ୍ୟୁ ଓ ସମୁଦି ମୂଳର ଲିଙ୍କ୍ ଡିକୋଡ୍ ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ଲ୍ୟାବ୍ ରିପୋର୍ଟକୁ ଅପେକ୍ଷା ରହିଥିବା ବେଳେ ଦେଖିବାର କଥା ମୃତକଙ୍କ ଭିସେରା ରିପୋର୍ଟରୁ କି ସତ ପଦାକୁ ଆସୁଛି।
ଆହୁରି ପଢନ୍ତୁ ଓଡିଶା ଖବର...