ନିଖୋଜ ଚୀନ୍ ଜାହାଜ କର୍ମଚାରୀଙ୍କ ମୃତଦେହ ପାରାଦୀପ ସମୁଦ୍ରରୁ ଉଦ୍ଧାର

Key Points
ଗଭୀର ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଚୀନର ଜହଙ୍ଗ ତାଇ ।
ପାରାଦୀପ: ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡ଼ିଥିବା ଚୀନ ନାଗରିକଙ୍କ ମୃତଦେହ ମିଳିଛି । ଗଭୀର ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଚୀନର ଜହଙ୍ଗ ତାଇ । ସେ ଗତ ଶୁକ୍ରବାର ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଜାହାଜରୁ ସମୁଦ୍ରକୁ ଖସି ନିଖୋଜ ହୋଇ ଯାଇଥିଲେ ।
ଏହାପରେ କୋଷ୍ଟଗାର୍ଡ, NDRF, ODRAF, ମେରାଇନ୍ ପୋଲିସ, ସ୍କୁବା ଡାଇଭର ଏବଂ CISF ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ହେଲେ ତୁରନ୍ତ ତାଙ୍କର ପତ୍ତା ମିଳି ନଥିଲା । ରବିବାର ତାଙ୍କର ମରଶରୀର ସମୁଦ୍ରରେ ଭାସୁଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ସ୍ମୃତି ରଞ୍ଜନ କର ।
ସୂଚନା ଅନୁସାରେ, ଗତ ବୁଧବାର ଏକ ଜାହାଜ ଲୁହା ଖଣ୍ଡ ନେଇ ପାରାଦୀପ ବନ୍ଦରର ଟର୍ମିନାଲ୍ରେ ଲାଗିଥିଲା । କାର୍ଗୋ ଅନଲୋଡିଂ ପରେ ଶୁକ୍ରବାର ସକାଳୁ ଜାହାଜଟି ବାହାରୁଥିଲା । ଆଉ ଜାହାଜଟି ପିଆଇସିଟି ବର୍ଥ ଛାଡ଼ିବା ବେଳେ ସମୁଦ୍ରକୁ ଖସି ପଡ଼ିଥିଲେ ଚୀନ ନାଗରିକ ଜଣଙ୍କ ।
📱 Get Argus News App
✨
ତାଙ୍କୁ ବଞ୍ଚାଇବାକୁ ଯାଇ ଜାହାଜର ଅନ୍ୟ ଜଣେ କର୍ମଚାରୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ । କିନ୍ତୁ ସେଥିରେ ସଫଳତା ମିଳି ନଥିଲା । ବାଂଲାଦେଶର ନାଗରିକଙ୍କୁ ଅନ୍ୟ କ୍ରିଉ ମେମ୍ବର ଉଦ୍ଧାର କରିଥିବା ବେଳେ ଶୁକ୍ରବାର ଠାରୁ ନିଖୋଜ ଥିଲେ ଚୀନ ନାଗରିକ । ଏବେ ଚୀନ ନାଗରିକଙ୍କ ମୃତଦେହ ମିଳିବା ପରେ ମୃତଦେହ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।