Videos
|
Odisha

Jail Superintendent Arrested / ଚୌଦ୍ବାର ଜେଲ୍‌ ଅଧୀକ୍ଷକ ସୁଜିତ ରାଉଳ ଗିରଫ, ନିଜ ଜେଲରେ ନିଜେ ହେଲେ କଏଦୀ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଚୌଦ୍ବାର ଜେଲ୍‌ ଅଧୀକ୍ଷକ ସୁଜିତ ରାଉଳ ଗିରଫ, ନିଜ ଜେଲରେ ନିଜେ ହେଲେ  କଏଦୀ
Sujit Raul

Key Points

ନିଜ ଜେଲରେ ନିଜେ ହେଲେ କଏଦୀ
ଚୌଦ୍ବାର ଜେଲ୍‌ ଅଧୀକ୍ଷକ ସୁଜିତ ରାଉଳ ଗିରଫ
ଚୌଦ୍ବାର ଜେଲ 'ମିନିଟ୍ ବୁକ୍' ଜାଲିଆତି ଅଭିଯୋଗ ହୋଇଥିଲା

ଚୌଦ୍ବାର,୨୧/୦୯: ନିଜ ଜେଲରେ ନିଜେ ବନ୍ଦୀ । ଯେଉଁ ଜେଲରେ ରହି ଦିନେ କଏଦୀମାନଙ୍କୁ ସେଲ୍ ଦାୟିତ୍ୱ ଦେଉଥିଲେ । ଆଜି ସେହି କାଳକୋଠରୀରେ ହୋଇଛନ୍ତି ବନ୍ଦୀ । ଚୌଦ୍ୱାର୍ ସର୍କଲ୍ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି । ଚୌଦ୍ୱାର ଥାନା ପୁଲିସ ତାଙ୍କୁ ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସୁଜିତଙ୍କୁ ଚୌଦ୍ୱାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ତେବେ ଜଣେ ଜେଲ୍ ଅଧୀକ୍ଷକ ଗିରଫ ହୋଇ ନିଜ ଜେଲ୍‌ ରହିବା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଚୌଦ୍ବାର ଜେଲ୍‌ରେ ପହଞ୍ଚି ତଦନ୍ତ କରିଛନ୍ତି ଜେଲ୍‌ ଡିଜି ସୁଶାନ୍ତ ନାଥ।

ଚୌଦ୍ବାର ମଣ୍ଡଳ କାରାଗାରର ଗୁରୁତ୍ୱପୂର୍ଣ୍ଣ ମିନିଟ୍ସ ବୁକ୍‌ରେ ଚଞ୍ଚକତା କରିବା ନେଇ ସୁଜିତଙ୍କ ନାଁରେ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା । ଜେଲ୍ରୁ ଦୁଇ ବିହାରୀ ଅପରାଧୀ ଫେରାର୍ ହେବା ପରେ ସୁଜିତ ନିଜକୁ ବଞ୍ଚାଇବା ପାଇଁ ଏଭଳି ଚଞ୍ଚକତା କରିଥିଲେ ବୋଲି ତାଙ୍କ ନାଁରେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶ ଏତଲା ଦେଇଥିଲେ । ଗିରଫଦାରୀ ଏଡ଼ାଇବା ପାଇଁ ସୁଜିତ୍ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ୍‌କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ଜାମିନ୍ ଆବେଦନ ବିଚାରାଧୀନ ।

୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ୱାର ଜେଲ୍ରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର୍ ହୋଇଯାଇଥିଲେ । ସେ ସମୟରେ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳ ଡ୍ୟୁଟିରେ ନ ଥିଲେ । ଏହି ବେଆଇନ ଅନୁପସ୍ଥିତିକୁ ଲୁଚାଇବାକୁ ଯାଇ ସେ ଜେଲ୍‌ର ମିନିଟ୍ସ ବୁକ୍‌ରେ ଜାଲିଆତି କରିଥିଲେ । ନିଜ ଉପସ୍ଥିତି ଜାହିର କରିବା ସହିତ ଜେଲରଙ୍କ ଅଜାଣତରେ ତାଙ୍କ କାଗଜପତ୍ରରେ ଜାଲ୍ ଦସ୍ତଖତ ବି କରାଇଥିଲେ । ଏହା ଜେଲର୍ ସନ୍ତୋଷିନୀ ଦାଶ ଜାଣି ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ମିନିଟ୍ସ ବୁକ୍ ଓ ଅନ୍ୟ କାଗଜପତ୍ର ପହଞ୍ଚାଇବା ପାଇଁ ବାରମ୍ବାର ଅଧୀକ୍ଷକ ଶ୍ରୀ ରାଉଳଙ୍କୁ ଚିଠି କରିଥିଲା । ମାତ୍ର ସେ ତାହା ପ୍ରଦାନ କଲେନି । ଇତିମଧ୍ୟରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଧୀକ୍ଷକ ସୁଜିତ ରାଉଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସୁଜିତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।

ପଢନ୍ତୁ ଏହି ଖବର: ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର, କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାତ୍ର ଗତ ଅଗଷ୍ଟ ୨୯ ତାରିଖରେ ସୁଜିତଙ୍କ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିବା ସହିତ ଆଗୁଆ ଜାମିନ ଆବେଦନକୁ ରଦ୍ଦ କରିଦେଇଥିଲେ । ଗତ ସେପ୍ଟେମ୍ବର ୪ରେ ସୁଜିତ ଆଗୁଆ ଜାମିନ ଆବେଦନ ସୁପ୍ରିମ୍‌କୋର୍ଟରେ କରିଥିଲେ । ହାଇକୋର୍ଟଙ୍କ ଆଦେଶକୁ ସେ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍ କରିଥିଲେ । ଯାହା ଏବେ ବିଚାରାଧୀନ । ଚୌଦ୍ୱାର ପୁଲିସ ମଧ୍ୟରାତ୍ରିରେ ସୁଜିତଙ୍କୁ କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୁଜିତଙ୍କୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଛି ।