Videos
|
Odisha

Affordable House / ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଉପକୃତ ହେବେ ୧,୬୦୮ ପରିବାର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଉପକୃତ ହେବେ ୧,୬୦୮ ପରିବାର
Affordable House In Bhubaneswar

Key Points

ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାରଙ୍କ ଉଦ୍ୟମ
ଘାଟିକିଆ ଓ ଗାଡ଼କଣଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପିତ
ଉପକୃତ ହେବେ ପ୍ରତ୍ୟେକ ବର୍ଗର ୧,୬୦୮ ପରିବାର
ଭୁବନେଶ୍ଵର: ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ । ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ ଅବସରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • 'ମୁକ୍ତେଶ୍ୱର ରେସିଡେନ୍ସି' ଲୋକାର୍ପିତ
ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ 'ନୀଳକଣ୍ଠେଶ୍ୱର ନିବାସ' ଏବଂ ଗାଡ଼କଣଠାରେ 'ମୁକ୍ତେଶ୍ୱର ରେସିଡେନ୍ସି' ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

  • ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଖୋଲିଲା
କେବଳ ଆବାସ ନୁହେଁ, ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହି ଖେଳପଡ଼ିଆଗୁଡ଼ିକ ମଧ୍ୟରେ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲ ଖେଳପଡ଼ିଆ ଅନ୍ତର୍ଭୁକ୍ତ। ଏହି ସମସ୍ତ ପଦକ୍ଷେପ ଭୁବନେଶ୍ୱରକୁ ଏକ ସୁରକ୍ଷିତ, ସମାବେଶୀ ଓ ସନ୍ତୁଳିତ ସହର ଭାବେ ଗଢ଼ିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

  • ବାସଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ଉପସ୍ଥିତ ରହି ଘାଟିକିଆସ୍ଥିତ 'ନୀଳକଣ୍ଠେଶ୍ୱର ରେସିଡେନ୍ସି'ର ହିତାଧିକାରୀ ଲକ୍ଷ୍ମୀଧର ସେଠୀ, ନଇମୁଦ୍ଦିନ ଖାନ୍, ରାମଚନ୍ଦ୍ର ସେଠୀ ଓ ରସିକ ଖଣ୍ଡାୟତରାୟ ଏବଂ ଗାଡ଼କଣାସ୍ଥିତ 'ମୁକ୍ତେଶ୍ୱର ରେସିଡେନ୍ସି'ର ନିର୍ମଳା ବାରିକ, ଶଶ୍ମିତା ପାତ୍ର, ରୂପା ସାହୁ ଓ ଦ୍ରୌପଦୀ ଦେବୀଙ୍କୁ ସିଧାସଳଖ ବାସଗୃହ ଆବଣ୍ଟନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ବୁଦ୍ଧବିହାର ବାସିନ୍ଦା ତୁଳସୀ ତିରିଆଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ଦୁର୍ଗା ଚରଣ ସିଂହଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ରଶ୍ମିକା ନାଏକଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା, ସର୍ବେଶ୍ୱର ଗୟାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଏବଂ ପ୍ରଫୁଲ୍ଲ ମହାରଣାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଋଣ ସହାୟତା ରାଶି ମଧ୍ୟ ନିଜ ହସ୍ତରେ ବିତରଣ କରିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: