ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଆଇଜି ଆଶିଷ ସିଂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଅର୍ଗସ ବ୍ୟୁରୋ: ସୁଜାତା କାର୍ତ୍ତିକେୟନଙ୍କ ପରେ ଏବେ ଓଡ଼ିଶାର ଆଉ ଜଣେ ବ୍ୟୁରୋକ୍ରାଟଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଆଇଜି ଆଶିଷ ସିଂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଆଇପିଏସ ଆଶିଷ ସିଂହ ବିଜେଡିର ନିର୍ବାଚନ ପରିଚାଳନା କରୁଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ହୋଇଛି ଅଭିଯୋଗ । ପୂର୍ବରୁ ସମାନ ଅଭିଯୋଗ ଆଧାରରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାଞ୍ଚଳ ଆଇଜି ପଦରୁ ବଦଳି କରାଯାଇ ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଥିଲା ।
ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦେଖିବା ପରିବର୍ତ୍ତେ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟର ଷଷ୍ଠ ମହଲାରେ ବେଆଇନ ଭାବେ ବସୁଛନ୍ତି । ସେଠାରୁ ସେ ଜୁନିଅର ପୋଲିସ ଅଧିକାରୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାକି ପୋଲିସ ଅଫିସର ସର୍ଭିସ ରୁଲ ଓ କଣ୍ଡକ୍ଟ ରୁଲ 2023ର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେପି । ଏହା ପୂର୍ବରୁ ଏପ୍ରିଲ 2 ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ରାଜ୍ୟ ବିଜେପି ।
କେନ୍ଦ୍ରାଞ୍ଚଳ ଆଇଜି ଥିବାବେଳେ ଆଶିଷ ସିଂହ ଭି.କେ ପାଣ୍ଡିଆନଙ୍କ ପରି ବିଜେଡି ବିଚାରଧାରା ପ୍ରତି ତାଙ୍କର ଖୋଲା ସମର୍ଥନ ପ୍ରକାଶ କରୁଥିବା ବିଜେପି ଅଭିଯୋଗ ଆଣିଛି। ତେଣୁ ତୁରନ୍ତୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଭାରତୀୟ ଜନତା ପାର୍ଟି।
ଆହୁରି ପଢନ୍ତୁ ରାଜନୀତି ଖବର...