ବଜାରରେ ବିକ୍ରି ହେଉଛି ନକଲି ଥଣ୍ଡା, କାର୍ଯ୍ୟାନୁଷ୍ଠାନ ଦାବିକଲେ ଗ୍ରାହକ

ଅର୍ଗସ ବ୍ୟୁରୋ: ବଜାରରେ ମିଳୁଛି ନକଲି ଥଣ୍ଡା। ଏହା ଦେହ ପାଇଁ ବହୁତ କ୍ଷତିକାରକ ଅଟେ। ଏହି ନକଲି ଥଣ୍ଡା ପିଇବା ଦ୍ୱାରା ଦେହ ଅସୁସ୍ଥ ହେବ ବୋଲି ଗ୍ରାହକ ଅଭିଯୋଗ ଆଣିଛନ୍ତି। ଏଭଳି ନକଲି ନିମ୍ନମାନର ଥଣ୍ଡା ଏବେ ବାଲେଶ୍ଵର ଓ ଭଦ୍ରକରେ ମିଳୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲାର ରାଣୀତାଲ ଅଞ୍ଚଳରେ କେତେକ ବେଆଇନ ଥଣ୍ଡା କମ୍ପାନୀ ଗଢି ଉଠିଛି।
ବିଶେଷ କରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଏବଂ ସିମୁଳିଆ ବ୍ଲକରେ ଥିବା ଗରସଙ୍ଗ, ଅନ୍ତରା, ବର୍ତ୍ତନା, ଖଇରା, ରାଣୀତାଲ, ମାର୍କୋଣା ଆଦି ବିଭିନ୍ନ ଗାଁ ଗହଳି ଦୋକାନ ମାନଙ୍କରେ ଗୋଟିଏ କମ୍ପାନୀର ଦିଲ ସେ ଓଡ଼ିଆ ଓ ବଜରଙ୍ଗୀ ସୋଡ଼ା ନାମରେ ବିକ୍ରି ହେଉଛି। ଏହି ଥଣ୍ଡା କାଚ ଉପରେ ତିଆରି ସମୟ ଏବଂ ଅବଧି ତାରିଖ ନ ଥିବା ବେଳେ ଏହା ପିଇବା ଉପଯୋଗୀ ନୁହେଁ ବୋଲି ଗ୍ରାହକ ଏବଂ ଦୋକାନୀ ଅଭିଯୋଗ କରିଛନ୍ତି।
ଏହି ଥଣ୍ଡା ପିଇବା ଦ୍ୱାରା ବାନ୍ତି ହେବା ସହ କୌଣସି ସ୍ୱାଦ ନଥିବା ଲୋକମାନେ କହିଛନ୍ତି। ଛୋଟ ଛୋଟ ପିଲା ମାନେ ଏହି ଥଣ୍ଡାକୁ ପିଉ ଥିବାରୁ ଜୀବନ ପ୍ରତି ବିପଦ ରହିଛି। ପ୍ରସାଶନ ଏବଂ ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟି ଦେଇ ଏହି ଥଣ୍ଡା କମ୍ପାନୀର ମାନ ଯାଞ୍ଚ କରିବା ସହ ଏଭଳି ନକଲି ଥଣ୍ଡା ବଜାରରେ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପଟେ ବଜରଙ୍ଗୀ ସୋଡ଼ା କମ୍ପାନୀର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଦୋକାନୀଙ୍କ ଉପରେ ଦୋଷ ଲଦି ଦେଇଥିଲେ।
ଏଭଳି ନକଲି ଥଣ୍ଡା କମ୍ପାନୀର ଥଣ୍ଡା ବଜାରରେ ବିକ୍ରି ହେଉଥିବାବେଳେ ଖାଦ୍ୟ ନିରାପତ୍ତା ବିଭାଗ କିପରି ଜାଣିପାରୁନି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ଦାବି ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର