ପୋଲିସ ଓ ସିଏମସି ଆଖିରେ ଧୂଳି ପକେଇ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ନିର୍ମାଣ

ଅର୍ଗସ ବ୍ୟୁରୋ : କଟକରେ ବାଲିଯାତ୍ରା ସମୟରେ ବଢୁଛି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ । ପୋଲିସ ଓ କଟକ ମହାନଗର ନିଗମ ଆଖିରେ ଧୂଳି ପକେଇ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ନିର୍ମାଣକୁ ନେଇ ଉଠିଛି ତୁମ୍ବି ତୋଫାନ । ୬ ଟି ସ୍ଥାନରେ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହୋଇଥିବା ନେଇ କଟକ ଡିସିପିଙ୍କୁ ଚିଠି ଲେଖିଛି ସିଏମସି । ଏ ହେଉଛି କଟକ ମହାନଗର ନିଗମ ପକ୍ଷରୁ କଟକ ଡିସିପିଙ୍କୁ ଦିଆଯାଇଥିବା ଚିଠି । ୨୮ ନଭେମ୍ବର ୨୦୨୩ ରେ ଦିଆଯାଇଥିବା ଏହି ଚିଠିରେ ବାଲିଯାତ୍ରା ସମୟରେ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡକୁ ହଟେଇବା ପାଇଁ ଡିସିପିଙ୍କୁ ଅନୁରୋଧ କରିଥିଲା ସିଏମସି ।
ଗୋଟିଏ କି ଦୁଇଟି ନୁହେଁ ସମୁଦାୟ ୬ ଟି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହୋଇଥିବା ନେଇ ଏହି ଚିଠିରେ ଉଲ୍ଲେଖ ରହିଛି । ପୋଲିସ ଓ ସିଏମସି ଆଖିରେ ଧୂଳି ପକେଇ ବାଲିଯାତ୍ରା ସମୟରେ ଏପରି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହା ଉପରେ ତଦନ୍ତ କରାଯିବା ସହ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।
📱 Get Argus News App
✨ଅନ୍ୟପଟେ ଏହି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡକୁ ନେଇ କଟକ ମହାନଗର ନିଗମର ୧୫ ନମ୍ବର ୱାର୍ଡରେ ତୁମ୍ବି ତୋଫାନ ହୋଇଛି । କଳାବିକାଶ କେନ୍ଦ୍ର ସମ୍ମୁଖରେ ସେହି ୱାର୍ଡ କର୍ପୋରେଟରଙ୍କ ତତ୍ତ୍ଵାବଧାନରେ ସିଏମସି ରଖିଥିବା ସ୍ଲାବକୁ ହଟେଇ ସେଠି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।
କେବଳ ସେ ନୁହନ୍ତି କଳାବିକାଶ କେନ୍ଦ୍ର ପକ୍ଷରୁ ଏଭଳି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହଟେଇବା ପାଇଁ ସିଏମସି କମିଶନରଙ୍କୁ ଚିଠି ଲେଖା ଯାଇଥିଲା । ଯାହାକୁ ନେଇ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ପରେ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି ଉଭୟ ୱାର୍ଡ କର୍ପୋରେଟର ଓ ଯୁବ ବିଜେଡ଼ି ନେତା । ଏଭଳି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ଯୋଗୁଁ ସିଏମସି ରାଜସ୍ବ ହରାଉଥିବା ବେଳେ ଦେଖିବାକୁ ବାକି ରହିଲା ଏହା ଉପରେ କି ପଦକ୍ଷପ ନେଉଛି କମିଶନରେଟ ପୋଲିସ ।