Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପେଟ୍ରୋଲ୍ ପମ୍ପର ମନମାନି ଉପରେ ଜିଲ୍ଲାପାଳଙ୍କ ଛାଟ୍; ତେଲ ଥାଇ ବନ୍ଦ କରିଥିଲେ ଟାଙ୍କି

Odisha

Raid At Petrol Pump / ପେଟ୍ରୋଲ୍ ପମ୍ପର ମନମାନି ଉପରେ ଜିଲ୍ଲାପାଳଙ୍କ ଛାଟ୍; ତେଲ ଥାଇ ବନ୍ଦ କରିଥିଲେ ଟାଙ୍କି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପେଟ୍ରୋଲ୍ ପମ୍ପର ମନମାନି ଉପରେ ଜିଲ୍ଲାପାଳଙ୍କ ଛାଟ୍; ତେଲ ଥାଇ ବନ୍ଦ କରିଥିଲେ ଟାଙ୍କି
Collector Conducts Surprise Raid

Key Points

ଟାଙ୍କିରେ ପେଟ୍ରୋଲ୍ ଥାଇ ବି ଲୋକଙ୍କୁ ପେଟ୍ରୋଲ୍ ପମ୍ପ ତେଲ ଦେଉ ନାହାନ୍ତି । ଏଭଳି ଅଭିଯୋଗ ପରେ ପେଟ୍ରୋଲ୍ ପମ୍ପରେ ଚଢ଼ାଉ କରିଛନ୍ତି ଜିଲ୍ଲାପାଳ ।
କଟକ: ଭୟ, ଭ୍ରାନ୍ତି ଓ ଦରବୃଦ୍ଧି ଭିତରେ ପେଟ୍ରୋଲ୍ ପମ୍ପର ମନମାନି ସାମ୍ନାକୁ ଆସିଛି । ଟାଙ୍କିରେ ପେଟ୍ରୋଲ୍ ଥାଇ ବି ଲୋକଙ୍କୁ ପେଟ୍ରୋଲ୍ ପମ୍ପ ତେଲ ଦେଉ ନାହାନ୍ତି । ଏଭଳି ଅଭିଯୋଗ ପରେ ପେଟ୍ରୋଲ୍ ପମ୍ପରେ ଚଢ଼ାଉ କରିଛନ୍ତି ଜିଲ୍ଲାପାଳ । ଷ୍ଟକ ଯାଞ୍ଚ ପରେ ପେଟ୍ରୋଲ୍ ଥିବା ଜଣାପଡ଼ିଥିଲା । ଯାହା ପରେ ଲୋକଙ୍କୁ ପେଟ୍ରୋଲ୍ ମିଳିଛି । 

୨ ଦିନ ହେଲା ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଲୋକେ ଆବଶ୍ୟକତା ଠାରୁ ଅଧିକ ତେଲ ଗାଡ଼ିରେ ପକାଉଥିବା ବେଳେ ବିଭିନ୍ନ ପେଟ୍ରୋଲ୍‌ ପମ୍ପରେ ପେଟ୍ରୋଲ୍, ଡିଜେଲ୍ ଅଭାବ ସୃଷ୍ଟି ହୋଇଛି । ଆଉ ଏହାର ସୁଯୋଗ ନେଇ କିଛି ଟାଙ୍କି ମାଲିକ ମନମାନି ଆରମ୍ଭ କରି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଦେଶରେ ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର; ଆଜିଠୁ ନୂଆ ଦର ଲାଗୁ 

ଶୁକ୍ରବାର ସକାଳୁ ଲୋକେ ଗାଡ଼ିରେ ପେଟ୍ରୋଲ୍ ଭରିବାରୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ଘଣ୍ଟାଏ ଯାଇ ଦୁଇ ଘଣ୍ଟା ହେଲା ହେଲେ ପେଟ୍ରୋଲ୍ ଥାଇ କର୍ମଚାରୀ ଦେବାକୁ ମନା କଲେ । କନିକା ଛକରେ ଥିବା ପେଟ୍ରୋଲ୍ ପମ୍ପ କର୍ମଚାରୀ ତେଲ ଦେବାକୁ ମନା କରିବା ପରେ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।


ଆଉ ଅଭିଯୋଗ ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ନିଜେ ପେଟ୍ରୋଲ୍ ପମ୍ପ ଆସି ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଚଢ଼ାଉ ବେଳେ ପେଟ୍ରୋଲ ଟାଙ୍କିରେ ୩୧ ଶହ ଲିଟର ପେଟ୍ରୋଲ୍ ମହଜୁଦ ଥିବା ଜଣାପଡ଼ି ଥିଲା । ଯାହାକୁ ନେଇ ଜିଲ୍ଲାପାଳ ପେଟ୍ରୋଲ୍ ପମ୍ପ ମ୍ୟାନେଜରଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ପେଟ୍ରୋଲ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ତାଗିଦ୍ ପରେ ଲୋକଙ୍କୁ ପେଟ୍ରୋଲ୍ ଦେଇଥିଲେ କର୍ମଚାରୀ । ଏହି ମାମଲାରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ଇସି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଥିସହ ଜିଲ୍ଲାରେ ପର୍ଯ୍ୟାପ୍ତ ପେଟ୍ରୋଲ୍ ଅଛି, ଲୋକେ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ।

ବଢ଼ିଲା ବସ୍ ଭଡ଼ା

ତୈଳଦର ବୃଦ୍ଧି ପରେ ଘରୋଇ ବସ୍ ଭଡ଼ା ବଢ଼ିଲା । ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିବା ପରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଛି । ଘରୋଇ ବସ୍ ଭଡ଼ା ବୃଦ୍ଧି ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଏକ କିଲୋମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ରହିଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିବାବେଳେ ଏବେ ୯୪ ପଇସା ହୋଇଛି ।

ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପରେ ଘରୋଇ ବସ୍ ଭଡ଼ାରେ ବୃଦ୍ଧି 

ସେହିପରି ଡିଲକ୍ସ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୧ ଟଙ୍କା ୨୭ ପଇସା ରହିଥିଲା । ଏବେ ତାହା କିଲୋମିଟର ପିଛା ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି । ସୁପର୍ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫୫ ପଇସା ରହିଥିଲା, ତାହା ୧ ଟଙ୍କା ୫୯ ପଇସା ହୋଇଛି ।

ସୁପର୍ ପ୍ରିମିୟମ୍ ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୪୧ ପଇସା ଥିଲା, ଏବେ ତାହା ୨ ଟଙ୍କା ୪୭ ପଇସା ହୋଇଛି । ବର୍ଦ୍ଧିତ ବସ୍ ଭଡ଼ା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack Collector Raids Petrol Pump Over Fuel Hoarding Allegation | Argus News | Argus News