Videos
|
Odisha

Akwan Landfall / ବାତ୍ୟା ‘ଅକ୍ବାନ’କୁ ନେଇ ବଡ଼ ଅପଡେଟ୍, ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

Bikash Mohanty
Browse all articles by Bikash Mohanty
·1 hour ago·2 min read
ବାତ୍ୟା ‘ଅକ୍ବାନ’କୁ ନେଇ ବଡ଼ ଅପଡେଟ୍, ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!
Mrutyunjaya mahapatra

Key Points

ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା
ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା
ପବନର ବେଗ ରହିବ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର
ଝଟକା ପବନର ବେଗ ୯୦ କିଲୋମିଟର ରହିପାରେ
IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା
ନୂଆଦିଲ୍ଲୀ : ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁରରେ ଲ୍ୟାଣ୍ଡଫଲ କରିବ ବାତ୍ୟା‘ଅକଭାନ୍’। ଏତିକି ବେଳେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ। ସେହିପରି ଝଟକା ପବନର ବେଗ ଘଣ୍ଟା ପ୍ରତି ୯୦ କିମି ଛୁଇଁ ପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ବଢୁଛି ଭୀଷଣ ବାତ୍ୟା ‘ଅକଭାନ୍’ର ଗତିର ବେଗ । ବାତ୍ୟା ‘ଅକଭାନ୍’ ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପଟ୍ଟନମ୍ ଠାରୁ ୪୦୦ କି.ମି., ଗୋପାଳପୁର ଠାରୁ ୪୯୦ କି.ମି. ଏବଂ ପୁରୀ ଠାରୁ ୫୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ବିଶେଷକରି ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟ୍କା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ପବନ ଓ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୨୦ ସେଣ୍ଟିମିଟର କିମ୍ବା ତା'ଠାରୁ ଅଧିକ ବର୍ଷା ହୋଇପାରେ । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଏଠାରେ ୭ରୁ ୧୨ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି ।

ପଢନ୍ତୁ ଏହି ଖବର: ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା

ବାତ୍ୟା ଅକଭାନକୁ ନେଇ ସଜାଗ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ସମୁଦ୍ର କୂଳରେ ଲାଗିଛି ନାଲି ପତାକା। ସମସ୍ତ ସେକ୍ଟରରେ ରେଡ୍ ଫ୍ଲାଗ୍ ଲଗାଇବା ସହ ସମୁଦ୍ର ସ୍ନାନ ଉପରେ ଲଗାଯାଇଛି କଟକଣା। ଏପରିକି ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ ରୋକ୍ ଲଗାଯାଇଛି। ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଉଠା ଦୋକାନୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଦୋକାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ପ୍ରଶାସନ।

ବାତ୍ୟା ଅକଭାନକୁ ନେଇ ବଢ଼ିଛି ପୁରୀ ପ୍ରଶାସନର ତତ୍ପରତା। ସମୁଦ୍ରରେ ଅଶାନ୍ତି ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଛି ସତର୍କତାମୂଳକ ପଦକ୍ଷେପ। ପୁରୀ ସମୁଦ୍ର କୂଳର ସମସ୍ତ ସେକ୍ଟରରେ ଲଗାଯାଇଛି ନାଲି ପତାକା। ଏହାଦ୍ୱାରା ସମୁଦ୍ରରେ ସ୍ନାନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସମୁଦ୍ର ସ୍ନାନ ନୁହେଁ, ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ। ସମୁଦ୍ର କୂଳରେ ବୁଲୁଥିବା ପର୍ଯ୍ୟଟକଙ୍କୁ ଏନଡିଆରଏଫ୍ ଟିମ୍ ଏବଂ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ବିପଦକୁ ହାଲୁକା ଭାବେ ନନେଇ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଉଛି।