Videos
|
Odisha

School Closed Odisha / ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·44 mins ago·3 min read
ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି
Cyclone Akvan School Closed Odisha

Key Points

ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅକ୍ଵାନ୍
ଗୋପାଳପୁର ପାଖରେ କରିବ ଲ୍ୟାଣ୍ଡଫଲ୍
ତିନି ଦିନ ପାଇଁ ସ୍କୁଲ କଲେଜ ଛୁଟି
ଗଞ୍ଜାମ ସହ ଆଉ କେଉଁ ଜିଲ୍ଲାକୁ ବିପଦ ?
ଗଞ୍ଜାମ: ଦିଗ ବଦଳାଇଛି ବାତ୍ୟା ଅକ୍ନାନ୍ । ଏବେ ଓଡ଼ିଶା ମୁହାଁ । ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍ । ଓଡ଼ିଶା ଭିତର ଦେଇ ଗତି କରିବାକୁ ଥିବାରୁ ସାରା ରାଜ୍ୟରେ ବାତ୍ୟାର ପ୍ରଭାବ ଦେଖାଯିବ । ତେବେ ଗଞ୍ଜାମ ଉପକୂଳ ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖାଯାଇଛି । ଏଥିସହ ଜନସାଧାରଣ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦଲିଲପତ୍ର ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଚିକିଟିଠାରୁ ଖଲ୍ଲିକୋଟ ଓ ଚିଲିକା ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରାଯାଇଛି । ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପରିଚାଳନା, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

  • ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ
ଅଦ୍ୟାବଧି ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିପଦସଙ୍କୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି । ସମସ୍ତ ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ସୁବିଧା ଓ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଉପକୂଳବର୍ତ୍ତୀ, ଦୁର୍ଗମ ଓ ଭୂସ୍ଖଳନପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରୁଛନ୍ତି ।

  • ଖାଦ୍ୟ ଓ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା
ଆଶ୍ରୟସ୍ଥଳୀଗୁଡ଼ିକରେ ଆଗାମୀ ୨ରୁ ୩ ଦିନ ପାଇଁ ଆବଶ୍ୟକ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ ରନ୍ଧାଖାଦ୍ୟ ଯୋଗାଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଚିହ୍ନଟ ୧,୭୭୭ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ପ୍ରାୟ ୮୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଇତିମଧ୍ୟରେ ପ୍ରାୟ ୧୪୦ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ଗର୍ଭବତୀ ମହିଳା ଓ ଅନ୍ୟ ଜରୁରୀ ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଉଦ୍ଧାର କାର୍ଯ୍ୟ ପାଇଁ ୩୯ଟି ଟିମ୍ ମୁତୟନ
ବାତ୍ୟା ମୁକାବିଲା ଓ ଜରୁରୀ ପରିସ୍ଥିତିରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଟିମ୍, ୩ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ମୁତୟନ କରାଯାଇଛି । ଜଳବନ୍ଦୀ ପରିସ୍ଥିତି, ଗଛ ଉପୁଡ଼ିବା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଏହି ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।

  • ବିଦ୍ୟୁତ୍ ଓ ଯୋଗାଯୋଗ ସେବା ସ୍ୱାଭାବିକ ରଖିବାକୁ ପଦକ୍ଷେପ
ସମ୍ଭାବ୍ୟ ବିଦ୍ୟୁତ୍ ବିଭ୍ରାଟର ମୁକାବିଲା ଏବଂ ଯଥାଶୀଘ୍ର ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଟାଟା ପାୱାର ଓ ଓଏଫ୍‌ଡିସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି। ଟେଲିଯୋଗାଯୋଗ ସେବା ବ୍ୟାହତ ହେଲେ ଜରୁରୀ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ଯନ୍ତ୍ରପାତି ଓ ଯାନବାହନ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିସହ ଜରୁରୀ ଯୋଗାଯୋଗ ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଉଛି।

ପଢନ୍ତୁ ଏହି ଖବର: ଦିଗ ବଦଳାଇଲା ବାତ୍ୟା ଅକଭାନ…ଗୋପାଳପୁରରେ କରିପାରେ ଲ୍ୟାଣ୍ଡଫଲ୍

  • କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ନଜର
ବାତ୍ୟା ଓ ବର୍ଷା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ କିମ୍ବା କଳାବଜାରୀ ରୋକିବା ପାଇଁ ଯୋଗାଣ କାର୍ଯ୍ୟାଳୟକୁ ସ୍ୱତନ୍ତ୍ର ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ଜିଲ୍ଲାର ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି ।

  • ଆଉ କେଉଁ ଜିଲ୍ଲାରେ ସ୍କୁଲ ବନ୍ଦ ?
`ଅକ୍ବାନ'ର ପ୍ରଭାବକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍କୁଲ ଛୁଟି ରହିବ । ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଏହି ୭ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ଗଞ୍ଜାମରେ ସ୍କୁଲ ସହ କଲେଜ ଓ ବିଶ୍ବବିଦ୍ୟାଳୟ ମଧ୍ୟ ଛୁଟି ଘୋଷଣା ହୋଇଛି ।