Bali Jatra Ground Waterlogging / 'ଅକ୍ୱାନ' ବିଗିଡ଼ିଦେଲା ବାଲିଯାତ୍ରା ପ୍ରସ୍ତୁତି, ବର୍ଷା ପାଇଁ ବାଲିଯାତ୍ରା ପଡ଼ିଆ ଏବେ କାଦୁଅ ପଚପଚ
·1 hour ago·2 min read

Key Points
ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା
ପାଣି ନିଷ୍କାସନ ଓ ଷ୍ଟଲ୍ କାମ ସାରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ
ଚଳିତ ବର୍ଷ ବାଲିଯାତ୍ରା ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାଲିଯାତ୍ରା ପ୍ରସ୍ତୁତିକୁ ବିଗାଡ଼ି ଦେଲା ବାତ୍ୟା 'ଅକ୍ୱାନ'। ବର୍ଷାରେ ଭିଜିଲା ବାଲିଯାତ୍ରା ପଡ଼ିଆ । ଯେଉଁଠି ହେବା କଥା ଥିଲା ରଙ୍ଗିନ ଆୟୋଜନ, ସେଠି ଏବେ ପାଣି ଆଉ କାଦୁଅର ଆସ୍ତରଣ । ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥର ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଭଳି ସ୍ଥିତିରେ ଅଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରସ୍ତୁତି ସାରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ।
ବାତ୍ୟା ଅକ୍ୱାନର ପ୍ରଭାବରେ ବିଗିଡ଼ିଗଲା ବାଲିଯାତ୍ରା ପ୍ରସ୍ତୁତିର ଚିତ୍ର । ଲଗାଣ ବର୍ଷା ଯୋଗୁଁ ଉପର ଓ ତଳ ପଡ଼ିଆରେ ଜମି ରହିଛି ବର୍ଷା ପାଣି, ଆଉ ଚାରିଆଡ଼େ କାଦୁଅ ପଚପଚ । ଯେଉଁଠି ଷ୍ଟଲ୍ ନିର୍ମାଣ, ଆଲୋକୀକରଣ ଓ ସାଜସଜ୍ଜା କାମ ଜୋରସୋରରେ ଚାଲିବା କଥା, ସେଠି ପାଣି ଓ କାଦୁଅ ପାଇଁ କାମରେ ସୃଷ୍ଟି ହୋଇଛି ବାଧା । ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ନଜରରେ ରଖି ରାସ୍ତା ନିର୍ମାଣ, ପାର୍କିଂ, ପାନୀୟ ଜଳ, ଆଲୋକୀକରଣ ଓ ସ୍ୱଚ୍ଛତା ଭଳି ବ୍ୟବସ୍ଥାକୁ ଶେଷ ସ୍ପର୍ଶ ଦେବାକୁ ପଡ଼ିବ । ତେଣୁ ବର୍ଷା ପାଣି ନିଷ୍କାସନ ସହ ପଡ଼ିଆରୁ କାଦୁଅ ସଫା କରି ଷ୍ଟଲ୍ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ଏବେ ପ୍ରଶାସନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।
ଚଳିତ ବର୍ଷ ବାଲିଯାତ୍ରାକୁ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷାଠାରୁ ଆରମ୍ଭ କରି ଉଦଘାଟନୀ ମଞ୍ଚ ପ୍ରସ୍ତୁତି ଯାଏଁ ସବୁକିଛି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ହେବ । ସିଲଭର ସିଟି ବୋଟ୍ କ୍ଲବରୁ 'କଳିଙ୍ଗ ତରଣୀ' ବୋଟ୍ରେ ବସି ନୌସେନା ଏସ୍କର୍ଟରେ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ ରାଷ୍ଟ୍ରପତି । ଏହା ସହ ଚଳିତ ବାଲିଯାତ୍ରାରେ କଟକ ମହାନଗର ନିଗମ ୧୫୦ ବର୍ଷ ପୂର୍ତ୍ତି ପାଳନ ମଧ୍ୟ କରିବ ।
ବାଲିଯାତ୍ରା ଯାତାୟାତ ପାଇଁ ଭୁଆସୁଣୀ ନିକଟରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ୫୦ଟି ବସ୍ ଚଳାଚଳ କରିବ । ଏଥିପାଇଁ ଜଣଙ୍କ ପିଛା ୧୦ ଟଙ୍କା ଭଡ଼ା ନିର୍ଦ୍ଧାରଣ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories